ସ୍ଲଟ୍‌ ବୁକିଂ ନେଇ ସରକାର କିଛି ନିଷ୍ପତ୍ତି ନେଇନାହାନ୍ତି: ଆଇନମନ୍ତ୍ରୀ

ପୁରୀ,୨୮ା୬(ଅଜିତ୍‌ କୁମାର ମହାନ୍ତି)- ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ଲଟ୍‌ ବୁକିଂ ବା ଅନ୍‌ଲାଇନ ରେଜିଷ୍ଟ୍ରେଶନ ବ୍ୟବସ୍ଥା ଲାଗୁ ହେବାର ଯୋଜନା ରହିଛି ବୋଲି ଗଜପତି ମହାରାଜା ଏକ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏହାକୁ ନେଇ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେତେଜଣ ସେବାୟତ ଏହାକୁ ସ୍ବାଗତ କରିଥିବାବେଳେ ଅନେକ ଭକ୍ତ ଏଭଳି ବ୍ୟବସ୍ଥା ଦ୍ୱାରା ହଇରାଣ ହେବାକୁ ପଡ଼ିବ ବୋଲି କହି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ସରକାର ଏପର୍ଯ୍ୟନ୍ତ ଏଭଳି କିଛି ନିଷ୍ପତ୍ତି ନେଇନାହାନ୍ତି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଅନେକ ପଦକ୍ଷେପ ନିଆଯିବା କଥା ଚିନ୍ତା କରାଯାଉଛି। ରଥଯାତ୍ରା ପରେ ଯାହାକିଛି ନିଷ୍ପତ୍ତି ନିଆଯିବ। ତେବେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ବିଭିନ୍ନ ନିଯୋଗର ସଦସ୍ୟ, ସେବାୟତ ଏବଂ ବୁଦ୍ଧିଜୀବୀଙ୍କ ସହିତ ଆଲୋଚନା କରାଯାଇ ମତାମତ ନିଆଯିବା ପରେ ଯାହାକିଛି ନିଷ୍ପତ୍ତି ନିଆଯାଇପାରିବ। ନିଷ୍ପତ୍ତି ନିଆଯିବା ପରେ ସମସ୍ତଙ୍କୁ ଜଣାଇ ଦିଆଯିବ ବୋଲି ହରିଚନ୍ଦନ ପ୍ରକାଶ କରିଛନ୍ତି।

Share
Tags: Puri