ଗରିବ ଆଦିବାସୀ, ନାରୀ ସୁରକ୍ଷା ଦେବାରେ ସରକାର ବିଫଳ: ଜୟଦେବ

କେନ୍ଦୁଝର,୧୯ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ସାରା ରାଜ୍ୟରେ ବର୍ତ୍ତମାନ ଆଦିବାସୀ ଓ ନାରୀମାନଙ୍କର ନିର୍ଯାତନା ଦିନକୁ ଦିନ ବଢୁଛି। ଗୋଟିଏ ଦିନରେ ଚାରି ୪ଟି ଗଣବଳାତ୍କାର ଓ ହତ୍ୟା ଘଟଣା ଘଟିଛି। ଅପରାଧୀମାନଙ୍କୁ ଏହି ସରକାର ସୁରକ୍ଷା ଦେଉଛି। ରାଜ୍ୟରେ ମୋହନ ସରକାର ସମ୍ପୂର୍ଣ୍ଣ ବିଫଳ ହେଇଛି ବୋଲି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଗଭୀର କ୍ଷୋଭ ପ୍ରକାଶ କରି କହିଛନ୍ତି।

ଗୁରୁବାର କଂଗ୍ରେସ ପକ୍ଷରୁ ଜୟଦେବ ଜେନାଙ୍କ ନେତୃତ୍ୱରେ ଜିଲାର ବରିଷ୍ଠ କଂଗ୍ରେସ ନେତାମାନେ କେନ୍ଦୁଝର ଜିଲା ହରିଚନ୍ଦନପୁରର ବ୍ଲକର ପଣ୍ଡାପଡ଼ା ଥାନା ଅନ୍ତର୍ଗତ ତେନ୍ତଳାପଶି ଗ୍ରାମର ଗଣବଳାତ୍କାର ଓ ହତ୍ୟା ହୋଇଥିବା ଆଦିବାସୀ ନାବାଳିକା ଘରକୁ ଯାଇଥିଲେ। ସେଠାରେ ନାବାଳିକାଙ୍କ ପରିବାର ଓ ଗ୍ରାମର ଅଧିବାସୀମାନଙ୍କ ପାଖରୁ ଘଟଣା ସମ୍ପର୍କ ପଚାରି ବୁଝିଥିଲେ। ଗତ ୧୬ତାରିଖ ରାତିରେ ଏହି ଘଟଣା ଘଟିଥିଲା। ଏହି କଂଗ୍ରେସ ପ୍ରତିନିଧି ଦଳ ଆଜି ଘଟଣାସ୍ଥଳ ଯାଇ ସ୍ତମ୍ଭୀଭୂତ ହେଲା। ଅତି ଗରିବ ପରିବାରର ଝିଅକୁ ଏପରି ନିର୍ମମ ଭାବେ ହତ୍ୟା କରି ଗଣବଳାତ୍କାର କରାଯାଇଛି ଯାହା ଘୋର ନିନ୍ଦନୀୟ। ଗୋଟେ ନାବାଳିକା ଝିଅକୁ ଘର ପାଖରୁ ଅଧ କିଲୋମିଟର ଦୂର ନେଇ ରାତିରେ ମିଶି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ତେଣୁ ଏହି ସମସ୍ତ ଦୋଷୀଙ୍କୁ ଧରିବାକୁ ସେ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାର ଲୋକ ହୋଇ ଚୁପଚାପ ବସିଛନ୍ତି କଣ ପାଇଁ ? ଅତି ଶୀଘ୍ର ନିରପେକ୍ଷ କ୍ରାଇମ ବ୍ରାଞ୍ଚ କିମ୍ବା ସିବିଆଇ ତଦନ୍ତ କରାଇ ଦୋଷୀମାନଙ୍କୁ ତୁରନ୍ତ ଦଣ୍ଡ ଦେବାକୁ ଦାବି କରିଛନ୍ତି।ମୃତ ନାବାଳିକା ପରିବାରକୁ ଅତି କମ୍‌ରେ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦିଆଯାଉ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତୁରନ୍ତ ନିଜ ଜିଲାର ଏହି ଗୁରୁତର କଥା ନେଇ ମୁହଁ ଖୋଲିବାକୁ ସେ ଦାବି କରାଯାଇଛି।

ଏ ବାବଦରେ ଆଜି ମଧ୍ୟ ଭୁବନେଶ୍ୱରରେ ପିସିସି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ଏ ଘଟଣା ପ୍ରତିବାଦରେ ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସହିତ ଆଲୋଚନା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ସହିତ ଜିଲା ସଦର ମହକୁମାଠାରେ ଆନ୍ଦୋଳନ କରାଯିବ ବୋଲି ଜେନା ଚେତାବନୀ ଦେଇଛନ୍ତ।

ଏହି କଂଗ୍ରେସ ଟିମ୍‌ରେ ପୂର୍ବତନ ଏମ୍‌ପି ତଥା ରାଜ୍ୟ ଆଦିବାସୀ କଂଗ୍ରେସ ସଭାପତି ଯଶୋବନ୍ତ ସିଂ ଲାଗୁରି, ଜିଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡା, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ମହିଳା କଂଗ୍ରେସ ରାଜ୍ୟ ଉପସଭାନେତ୍ରୀ ସଂଗୀତା ସିଂହ, ପିସିସି ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ, ବରିଷ୍ଠ କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ମହାନ୍ତି, ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ଜିଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ଘଟଗାଁ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ନାୟକ, ବରିଷ୍ଠ ଆଦିବାସୀ ନେତା ବୃନ୍ଦାବନ ନାୟକ, କଂଗ୍ରେସ ନେତା ସୁରଥ ଚନ୍ଦ୍ର ସାହୁ, ଲଳିତ ମୋହନ ନାୟକ, ରତ୍ନାକର ଜେନା, ହାଡ଼ିବନ୍ଧୁ ଖୁଣ୍ଟିଆ, ପ୍ରମୋଦ ବେହେରା, ଦିଲ୍ଲୀପ ସାହୁ, ସୁଢଳ କୁମାର ସେଠୀ, ରାଜକିଶୋର ବାରିକ, ଆର୍ତ୍ତତ୍ରାଣ ବେହେରା, ଅଜୟ ବାବୁ, ବିରଞ୍ଚି ଭୁଲ ଗାଁଏ ଓ ବୁଲୁ ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ।

Share