ସାବାଡ଼ ହେବେ ସରକାରୀ କର୍ମଚାରୀ! ଗୋଟିଏ କାର୍ଯ୍ୟାଳୟରେ ୩ ବର୍ଷରୁ ଅଧିକ ଦିନ ରହିଥିଲେ ହେବ ବଦଳି

ଭୁବନେଶ୍ୱର, ୧୯।୯(ସୁନିତ୍‌ ମିଶ୍ର): ଗାଦି ମାଡ଼ିବସି ଦୀର୍ଘଦିନ ଧରି ଗୋଟିଏ ସ୍ଥାନରେ ରହି ଆସିଥିବା ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯିବ। ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟରେ ୩ ବର୍ଷରୁ ଅଧିକ ସମୟ ଥିବା କର୍ମଚାରୀଙ୍କୁ ସ୍ଥାନାନ୍ତର ଲାଗି ରାଜସ୍ବ ବିଭାଗ ପକ୍ଷରୁ ଚିଠା ଜାରି କରାଯାଇଛି। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ଗତ ୧୮ ତାରିଖରେ ସବୁ ଜିଲାପାଳଙ୍କୁ ଚିଠି ଜାରି କରାଯାଇଛି। ଏହାର ରିପୋର୍ଟ ୧୫ଦିନ ମଧ୍ୟରେ ପ୍ରଦାନ କରିବା ପାଇଁ ଜିଲାପାଳମାନଙ୍କୁ କୁହାଯାଇଛି। ବଦଳି ନିୟମ ପାଳନ ହେଉ ନ ଥିବାରୁ ରାଜସ୍ବ ବିଭାଗ ଉଦ୍‌ବେଗ ପ୍ରକାଶ କରିଛି।
ବିଭାଗ ପକ୍ଷରୁ କୁହାଯାଇଛି, ୩ ବର୍ଷ ପରେ ବଦଳି ହେବାର ନିୟମ ରହିଥିଲେ ମଧ୍ୟ ଏହା ଠିକ୍‌ ଭାବେ ପାଳନ ହେଉନାହିଁ। ଏହା ଦୁର୍ନୀତି ଓ ସରକାରୀ କାର୍ଯ୍ୟରେ ଅବହେଳାର ମୁଖ୍ୟ କାରଣ।
ଉକ୍ତ ଚିଠିରେ ଆହୁରି ଉଲ୍ଲେଖ କରାଯାଇଛି, ରାଜସ୍ବ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଲୋକମାନଙ୍କୁ ସେବା ଯୋଗାଇବା କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଆନ୍ତି। ତୃଣମୂଳସ୍ତରରେ ଲୋକଙ୍କଠାରୁ ରାଜସ୍ବ କର୍ମଚାରୀମାନଙ୍କ ବିରୋଧରେ ବହୁ ମାତ୍ରାରେ ଅଭିଯୋଗ ହସ୍ତଗତ ହେଉଛି। କର୍ମଚାରୀମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବଦଳି ହେବାର ପ୍ରାବଧାନ ରହିଛି। ହେଲେ ଦେଖିବାକୁ ମିଳୁଛି ନିର୍ଦ୍ଦିଷ୍ଟ ସ୍ଥାନରେ ଦୀର୍ଘଦିନ ପର୍ଯ୍ୟନ୍ତ କର୍ମଚାରୀମାନେ କାର୍ଯ୍ୟରେ ରହୁଛନ୍ତି ସେମାନଙ୍କୁ ବଦଳି କରାଯାଉ ନାହିଁ। ଏହା ଦୁର୍ନୀତି ବଢ଼ିବାର ମୂଳ କାରଣ ପାଲଟୁଛି। ତେଣୁ ସରକାରୀ ନିୟମାନୁଯାୟୀ କର୍ମଚାରୀମାନେ ଯିଏ ଦୀର୍ଘଦିନ ଗୋଟିଏ ସ୍ଥାନରେ ଅଛନ୍ତି ସେମାନଙ୍କୁ ବଦଳି କରାଯାଉ। ଜିଲାପାଳଙ୍କ କାର୍ଯ୍ୟାଳୟ, ଉପଜିଲାପାଳଙ୍କ କାର୍ଯ୍ୟାଳୟ ଏବଂ ତହସିଲରେ ୩ ବର୍ଷରୁ ଅଧିକ ସମୟ ଧରି ରହି ଆସୁଥିବା କର୍ମଚାରୀଙ୍କୁ ତୁରନ୍ତ ବଦଳି କରାଯାଉ। ଯଦି ବଦଳି ଅବଧି ଶେଷ ହୋଇଯାଇଛି ଉପରିସ୍ଥ ଅଧିକାରୀଙ୍କ ଠାରୁ ଅନୁମୋଦନ ନେଇ ତୁରନ୍ତ ଏହାକୁ ଲାଗୁ କରାଯାଉ ବୋଲି ଉଲ୍ଲେଖ କରାଯାଇଛି।

Share
Tags: odisha