କୁନ୍ଦୁରା,୧୨ା୧,(ସନ୍ତୋଷ ପ୍ରହରାଜ): କୁନ୍ଦୁରା ବ୍ଲକବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। କୋଟପାଡ଼ ବିଧାୟକ ରୂପୁ ଭତ୍ରାଙ୍କ ପ୍ରଚେଷ୍ଟାରେ କୁନ୍ଦୁରା ବ୍ଲକର ପଖନାଗୁଡ଼ା ଠାରୁ ବ୍ୟବସାୟିକ ପ୍ରାଣକେନ୍ଦ୍ର ଜୟପୁର ପର୍ଯ୍ୟନ୍ତ ସରକାରୀ ବସ ସେବାର ଶୁଭାରମ୍ଭ ହୋଇଯାଇଛି। ସୋମବାର କୁନ୍ଦୁରା ବ୍ଲକ ସଦର ମହକୁମା ସ୍ଥିତ ନୂତନ ବସଷ୍ଟାଣ୍ଡ ନିକଟରୁ ଏହି ସେବାର ଉଦଘାଟନ କରାଯାଇଛି।
ପୂର୍ବରୁ ବ୍ଲକ ଅଞ୍ଚଳରେ ସରକାରୀ ବସ ଚାଲୁଥିଲେ ମଧ୍ୟ ଜୟପୁର ପର୍ଯ୍ୟନ୍ତ ସିଧାସଳଖ ସେବା ନଥିଲା। ଏନେଇ ଅଞ୍ଚଳର କିଛି ବରିଷ୍ଠ ନାଗରିକ ବିଧାୟକ ରୂପୁ ଭତ୍ରାଙ୍କୁ ଭେଟି ଅନୁରୋଧ କରିଥିଲେ। ଏହାକୁ ଗୁରୁତ୍ୱର ସହ ନେଇ ବିଧାୟକ ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀ, ଆଞ୍ଚଳିକ ପରିବହନ ଅଧିକାରୀ (RTO) ଏବଂ ଜିଲାପାଳଙ୍କ ସହ ଆଲୋଚନା କରିଥିଲେ। ଫଳରେ ସୋମବାରଠାରୁ ଏହି ଗମନାଗମନ ସୁବିଧା ଉପଲବ୍ଧ ହୋଇଛି।
କୁନ୍ଦୁରା ଅଞ୍ଚଳର ଅଧିକାଂଶ ଲୋକ ପନିପରିବା ଚାଷ ଉପରେ ନିର୍ଭର କରନ୍ତି ଏବଂ ବିକ୍ରି ପାଇଁ ଜୟପୁର ବଜାର ଉପରେ ଭରସା କରନ୍ତି। ମାତ୍ର ପରିବହନର ସଠିକ ସୁବିଧା ନଥିବାରୁ ଅଟୋ ଚାଳକମାନେ ନିଜ ମନଇଚ୍ଛା ଭଡ଼ା ଆଦାୟ କରୁଥିଲେ, ଯାହା ଚାଷୀ ଓ ବ୍ୟବସାୟୀଙ୍କ ପାଇଁ ବଡ଼ ବୋଝ ହେଉଥିଲା। ଏବେ ସରକାରୀ ବସ ଚାଲିବା ଦ୍ୱାରା ଚାଷୀ, କଲେଜ ଛାତ୍ରଛାତ୍ରୀ ବ୍ୟବସାୟୀ ଏବଂ ସାଧାରଣ ଜନତା ସୁବିଧାରେ ଜୟପୁର ଯାତାୟତ କରିପାରିବେ।
ସୂଚନାଯୋଗ୍ୟ ଯେ, ୧୯୯୫ ମସିହା ପୂର୍ବରୁ ଏହି ଅଞ୍ଚଳରେ ଏକ ସରକାରୀ ବସ ସେବା ଚାଲୁଥିଲା। ମାତ୍ର ପରବର୍ତ୍ତୀ ସମୟରେ ତାହା କେଉଁ କାରଣରୁ ବନ୍ଦ ହୋଇଗଲା, ତାହା ଏବେ ବି ରହସ୍ୟାବୃତ। ବାରମ୍ବାର ଦାବି ସତ୍ତ୍ୱେ ପୂର୍ବରୁ କୌଣସି ପଦକ୍ଷେପ ନିଆଯାଇ ନଥିବା ବେଳେ ଏହି ନୂତନ ସେବା ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳାଇ ଦେଇଛି।
ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଏମପି ପ୍ରତିନିଧି ଅମ୍ବୁ ପାତ୍ର, ବିଧାୟକ ପ୍ରତିନିଧି ବଦ୍ରି ନାରାୟଣ ଆଚାର୍ଯ୍ୟ, କୁନ୍ଦୁରା ମଣ୍ଡଳ ସଭାପତି ପଦ୍ମନାଭ ବିଷୋୟୀ, ସମ୍ପାଦକ ତ୍ରିନାଥ ନାୟକ, ତୁଷାର ଭଟ୍ଟ ଏବଂ ରଞ୍ଜିତ ବାରିକଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।


