ଚଉଷଠି ଯୋଗିନୀ ମନ୍ଦିର ପାଇଁ ୮୮ କୋଟି ଟଙ୍କା ଘୋଷଣା କଲେ ସରକାର, ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହେବ

ଭୁବନେଶ୍ୱର,୧୧ା୮: ଓଡ଼ିଶାର ବଲାଙ୍ଗିର ଜିଲାର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ରାଣୀପୁର ଝରିଆଲରେ ଅବସ୍ଥିତ ଐତିହାସିକ ଚଉଷଠି ଯୋଗିନୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ପୀଠର ବିକାଶ ପାଇଁ ୮୭ କୋଟି ୯୩ ଲକ୍ଷ ୨୮ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

ଚଉଷଠି ଯୋଗିନୀ ମନ୍ଦିର ହେଉଛି ଓଡ଼ିଶାର ଏକ ପ୍ରମୁଖ ତନ୍ତ୍ରପୀଠ, ଯାହା ନବମ ଶତାବ୍ଦୀରେ ନିର୍ମିତ ହୋଇଥିବା ବୋଲି ଅନୁମାନ କରାଯାଏ। ଏହି ମନ୍ଦିର ଭାରତର ଅନ୍ୟତମ ଯୋଗିନୀ ପୀଠ ମଧ୍ୟରେ ଗଣାଯାଏ ଏବଂ ଏହାର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ଶୈଳୀ ପର୍ଯ୍ୟଟକ ଓ ଭକ୍ତମାନଙ୍କୁ ଆକର୍ଷିତ କରିଥାଏ। ମନ୍ଦିରରେ ୬୪ ଯୋଗିନୀଙ୍କ ମୂର୍ତ୍ତି ସହିତ ମହାମାୟା ଦେବୀଙ୍କ ପୂଜା କରାଯାଏ। ଏହି ପୀଠରେ ମହାଶିବରାତ୍ରି ଓ ଚୈତ୍ର ପର୍ବ ଭଳି ବଡ଼ ବଡ଼ ଉତ୍ସବ ପାଳନ କରାଯାଏ, ଯାହା ହଜାର ହଜାର ଭକ୍ତଙ୍କୁ ଆକର୍ଷିତ କରିଥାଏ।

ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ଏହି ଆର୍ଥିକ ସହାୟତା ମନ୍ଦିର ପରିସରର ସୌନ୍ଦର୍ଯ୍ୟକରଣ, ପରିବେଶ ଉନ୍ନତି, ଗମନାଗମନ ସୁବିଧା ଓ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ କରାଯିବ। ଏହା ଦ୍ୱାରା ମନ୍ଦିରକୁ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ଗଢ଼ି ତୋଳିବା ସହ ସ୍ଥାନୀୟ ଅର୍ଥନୀତିକୁ ମଜବୁତ କରାଯିବ। ଏହା ପୂର୍ବରୁ ୨୦୦୪-୦୫ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ପର୍ଯ୍ୟଟନ ଯୋଜନାରେ ମନ୍ଦିର ବିକାଶ ପାଇଁ ୨ କୋଟି ଟଙ୍କା ମଞ୍ଜୁର ହୋଇଥିଲା, କିନ୍ତୁ ଅନେକ କାରଣରୁ ସେହି ବିକାଶ କାର୍ଯ୍ୟ ଅଟକି ରହିଥିଲା।

ଏହି ନୂଆ ଘୋଷଣା ସ୍ଥାନୀୟ ଅଞ୍ଚଳବାସୀ ଓ ଭକ୍ତମାନଙ୍କ ମଧ୍ୟରେ ଆନନ୍ଦର ସଞ୍ଚାର କରିଛି। ଏହା ଦ୍ୱାରା ରାଣୀପୁର ଝରିଆଲରେ ଥିବା ଏହି ପୁରାତନ ତନ୍ତ୍ରପୀଠର ଗୌରବ ଓ ଆଧ୍ୟାତ୍ମିକ ମହତ୍ତ୍ୱ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Share