ପୁରୁଷୋତ୍ତମପୁର,୨୬।୧(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିିଦ୍ଧ ଗୋପାଳପୁର ବେଳାଭୂମି ମହୋତ୍ସବ ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ବେଳେ ଏହା ପୂର୍ବରୁ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରୁ ମଶାଲ ଶୋଭାଯାତ୍ରା ବାହାରିଛି। ଏହି ମଶାଲ ଗୋପାଳପୁର ମହୋତ୍ସବ ପଡ଼ିଆରେ ପହଞ୍ଚିବ।
ଏ ନେଇ ଜିଲାପ୍ରଶାସନ ପକ୍ଷରୁ ଛତ୍ରପୁର ଉପ ଜିଲାପାଳ ସୁଭାଶିଶ ବରାଳଙ୍କ ତତ୍ତ୍ୱାବଧାନରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ପୁରୁଷୋତ୍ତମପୁର ତହସିଲଦାର ତଥା ମନ୍ଦିର ନିର୍ବାହୀଅଧିକାରୀ ବିନୋଦକୁମାର ବେହେରା, ବିଡିଓ ଶରତକୁମାର ପାତ୍ର, ଏସଡିପିଓ ସୁଜିତ କୁମାର ନାୟକ,ଆଇଆଇସି ରାଜେଶ କୁମାର ନାୟକ, ସରକାରୀ ଓକିଲ ରାଜେନ୍ଦ୍ର ପ୍ରଶାଦ ଶତପଥୀ ପ୍ରମୁଖ ଯୋଗଦେଇ ମାଙ୍କଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ।
ପୂଜାପାଠ ପରେ ମଶାଲ ଜଳାଇ ସ୍ବତନ୍ତ୍ର ରଥରେ ଗୋପାଳପୁର ଅଭିମୂଖେ ବାହାରିଥିଲେ। ଉକ୍ତ ମଶାଲକୁ ରାସ୍ତାରେ ବିଭିନ୍ନ ସ୍ଥାନରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ। ଏହି ଶୋଭାଯାତ୍ରା ରାସ୍ତାରେ ଭାଟକୁମରଡାର କନକଦୁର୍ଗା ମନ୍ଦିର, ନରେନ୍ଦ୍ରପୁର, ମାଣ୍ଡିଆପଲ୍ଲୀ, ପ୍ରଜାପିତା ବ୍ରହ୍ମହକୁମାରୀ ଇଶ୍ୱରିଆ ବିଦ୍ୟାଳୟ ରାମଚନ୍ଦ୍ରପୁର ହୋଇ ଗୋପାଳପୁରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।
Dharitri – Odisha’s No.1 Odia Daily