ନୂଆଦିଲ୍ଲୀ,୪।୯: ବିଶ୍ୱର କିଛି ଦେଶରେ ଠପ୍ ହୋଇଛି ଗୂଗଲର ମୁଖ୍ୟ ସେବା, ଯେପରିକି ଗୂଗଲ ସର୍ଚ୍ଚ ଓ ୟୁଟ୍ୟୁବ। ଏହା ଫଳରେ ବୁଧବାର ଶତାଧିକ ଉପଭୋକ୍ତା ଏହି ପ୍ଲାଟଫର୍ମଗୁଡ଼ିକୁ ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା କୌଣସି ଦେଶର ଇଣ୍ଟରନେଟ ନିଷେଧ ନୀତି କିମ୍ବା ସରକାରୀ ପ୍ରତିବନ୍ଧକ କାରଣରୁ ହୋଇନାହିଁ, ବରଂ ଏହା ଏକ ତାନ୍ତ୍ରିକ ତ୍ରୁଟି ଯୋଗୁ ଘଟିଥିବା ଜଣାପଡ଼ିଛି।
ଆଉଟେଜ୍ ଟ୍ରାକିଂ ୱେବସାଇଟ Downdetector ଅନୁଯାୟୀ, ଅଭିଯୋଗଗୁଡ଼ିକ ମଧ୍ୟରୁ ୫୨% ଗୂଗଲ ସର୍ଚ୍ଚ ସହ ଜଡ଼ିତ। ସେହିଭଳି ୩୫% ଉପଭୋକ୍ତା ୱେବସାଇଟ୍କୁ ପ୍ରବେଶ କରିବାରେ ଅସମର୍ଥ ହେଉଥିବା ବେଳେ ୧୩% ଅଭିଯୋଗ ଅନ୍ୟାନ୍ୟ ଯାନ୍ତ୍ରିକ ସମସ୍ୟା ସହ ଜଡ଼ିତ ରହିଛି।
Downdetector ରେ ଏପର୍ଯ୍ୟନ୍ତ ୪୦୪ରୁ ଅଧିକ ଅଭିଯୋଗ ପଞ୍ଜୀକୃତ ହୋଇଛି। ଏହି ଆଉଟେଜ ଦିନ ପ୍ରାୟ ୧୨:୪୫ରେ ଆରମ୍ଭ ହୋଇଥିଲା। ଗୂଗଲ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ, କିନ୍ତୁ ସୋସିଆଲ ମିଡିଆ ପ୍ଲାଟଫର୍ମ X (ଟୱିଟର) ରେ #GoogleDown ହ୍ୟାଶଟ୍ୟାଗ ସହିତ ଉପଭୋକ୍ତାମାନେ ନିଜର ଅସୁବିଧା ଓ ଅସନ୍ତୋଷ ପ୍ରକାଶ କରୁଛନ୍ତି।
ଜଣେ ଉପଭୋକ୍ତା ଲେଖିଛନ୍ତି, ଆମେରିକା ଓ ୟୁରୋପର କିଛି ଅଞ୍ଚଳରେ ଗୂଗଲ ବନ୍ଦ ହୋଇଯାଇଛି। ଗୂଗଲ ଅନେକ ଦେଶରେ ରହସ୍ୟମୟ ଭାବେ ଡାଉନ ହୋଇଛି। ଆମେରିକାର ବଡ଼ ସହରଗୁ ଡ଼ିକ ଓ ପୂର୍ବ ୟୁରୋପରେଅଭିଯୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସର୍ଚ, ଜିମେଲ ଓ ଅନ୍ୟାନ୍ୟ ସେବାଗୁଡ଼ିକରେ ବାଧା ସୃଷ୍ଟି ହେଉଛି ଏବଂ କାହାକୁ ବି ସଠିକ କାରଣ ଜଣାପଡ଼ିନାହିଁ।