ଧାନ ମଣ୍ଡିରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି, ସିସି କ୍ୟାମେରା…

ଗଜପତି,୨୭।୧(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ଅଗରଖଣ୍ଡି ଠାରେ ଥିବା ଅସ୍ଥାୟୀ ଧାନ ମଣ୍ଡିରୁ ଲକ୍ଷାଧିକ ଟଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ଡି.ଖଗେଶ୍ବର ରାଓ ଆଜି ଏନେଇ ଗୁରାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପ୍ରକାରେ ସୋମବାର ଦୁର୍ବୃତ୍ତମାନେ ରାତ୍ରଜଗୁଆଳୀଙ୍କ ଅନୁପସ୍ଥିତିରେ ଖୋଲାମେଲାରେ ରହିଥିବା ଅସ୍ଥାୟୀ ଧାନ ମଣ୍ଡିରେ ପଶି ସରକାରଙ୍କ ପକ୍ଷରୁ ଲଗାଯାଇଥିବା ସିସି କ୍ୟାମେରା ଏବଂ ଏହାର ସମସ୍ତ ଉପକରଣ, ପ୍ରିଣ୍ଟର, ଧାନ ଆଦ୍ରତା ମାପକ ଯନ୍ତ୍ର, ଓଜନ ମେସିନ୍, ଟାର୍ପଲିନ୍ ସହ ବିଭିନ୍ନ ଧାନ ମାପକ ଯନ୍ତ୍ରାଂଶ ଚୋରୀ ହୋଇଥିବାର ଅଭିଯୋଗ କରିଛନ୍ତି ।

ଅଭିଯୋଗକୁ ଭିତ୍ତି କରି ଗୁରାଣ୍ଡି ଥାନା ଅଧିକାରୀ ଓମ୍ ନାରାୟଣ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ୍ ଟିମ୍ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏହି ଚୋରି ଘଟଣାରେ କେହି ମଦ୍ୟପମାନେ ସାମିଲ ଥିବାର ଆଲୋଚନା ହେଉଛି । ଧାନ ମଣ୍ଡି ପରିସରରେ ତିନୋଟି ମଦବୋତଲ ସମେତ ଖାଇବା ସାମଗ୍ରୀ ଓ ତିନୋଟି ଗ୍ଲାସ ପଡିଥିବା ବେଳେ କାର୍ଯ୍ୟାଳୟର ଟେବୁଲ ଉପରେ ଖାଇବା ସାମଗ୍ରୀ ପଲିଥିନ ଆଦି ପକାଇଦେଇଛନ୍ତି । ଏହା ସହ ବାଉଁଶ ପୋତାଯାଇ ଲଗାଯାଇଥିବା ସିସି କ୍ୟାମେରାଗୁଡିକୁ କାଡିବା ଉଦ୍ଦେଶ୍ୟରେ ବାଉଁଶ ଗୁଡିକୁ ତଳେ ଶୁଆଇ ଦେଇଥିବା ବେଳେ ଏହାର ଅନ୍ୟାନ୍ୟ ସମସ୍ତ ଉପକରଣକୁ ନେଇ ପଳାଇଛନ୍ତି ।

ଚୋରି ହୋଇଥିବା ବିଭିନ୍ନ ସାମଗ୍ରୀର ଆନୁମାନିକ ମୂଲ୍ୟ ତିନି ଲକ୍ଷଟଙ୍କାରୁ ଉର୍ଦ୍ଧ ହେବ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ବିଭିନ୍ନ ଉପକରଣ ଗୁଡିକୁ ଚୋରି ଯାଇଥିବାରୁ ଆଜି ମଣ୍ଡିକୁ ଧାନ ଧରି ଆସିଥିବା ଚାଷୀମାନଙ୍କ କୌଣସି କାର୍ଯ୍ୟ ସମ୍ପାଦନ ହୋଇପାରିନି । ଦିନତମାମ ଅପେକ୍ଷା କରି ରହିଥିବା ବେଳେ ତୁରନ୍ତ ବିକଳ୍ପ ବ୍ୟବସ୍ଥା କରି ମଣ୍ଡି ଚଳାଇବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

 

Dharitri – Odisha’s No.1 Odia Daily

Share