ଭୁବନେଶ୍ୱର,୨୬ା୧: ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ୫ ବର୍ଷରେ ଦେଢ଼ ଲକ୍ଷ ସରକାରୀ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଆସନ୍ତା ବର୍ଷଗୁଡିକ ଯୁବପିଢ଼ିଙ୍କ ପାଇଁ ସୁଯୋଗର ବର୍ଷ ହେବ।
ଆଜି ସାରା ଦେଶରେ ୭୭ତମ ସାଧାରଣତନ୍ତ୍ର ଦିବସ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରବାଟୀ ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ସେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ମହାପୁରୁଷଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି। ବୀର ସଂଗ୍ରାମୀମାନଙ୍କୁ ମୋର ପ୍ରଣାମ ଜଣାଉଛି। ଦେଶ ସ୍ବାଧୀନ ପରେ ୨ଟି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା। ବିଭାଜନର ବିଭୀଷିକା ଓ ବିଧି ବ୍ୟବସ୍ଥାରେ ଦେଶକୁ କିପରି ଚଲାଇବା। ଦେଶକୁ ବିଧି ବ୍ୟବସ୍ଥାରେ ଚଲାଇବା ପାଇଁ ସମ୍ବିଧାନ ଲେଖାଗଲା। ଆମ ସମ୍ବିଧାନ ଆମକୁ ଭାତୃଭାବରେ ବାନ୍ଧି ରଖିଛି। ସମ୍ବିଧାନ ପ୍ରତ୍ୟେକ ଭାରତୀୟଙ୍କ ଜୀବନର ମାନଦଣ୍ଡ। ଆଜି ମୋଦିଙ୍କ ନେତୃତ୍ୱରେ ଦେଶ ଆଗକୁ ବଢୁଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ।

