ଜିଲା ପାଇଁ ଖୁସିଖବର: ରେଳବାଇ ନେଲା ବଡ଼ ନିଷ୍ପତ୍ତି, ଏଣିକି ଏତିକି ଦିନ ଚାଲିବ ଅମୃତ ଭାରତ ଏକ୍ସପ୍ରେସ

କେସିଙ୍ଗା,୧୭।୧୧(ତୁମେଶ୍ୱର ସାହୁ):ଜନସାଧାରଣଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀ ସୁବିଧା ବୃଦ୍ଧି କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଭାରତୀୟ ରେଳବାଇ ଟ୍ରେନ ନମ୍ବର ୧୯୦୨୧-୧୯୦୨୨ ଉଧନା- ବ୍ରହ୍ମପୁର , ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସର ଚଳାଚଳ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଉକ୍ତ ଟ୍ରେନ୍‌ଟି ସପ୍ତାହକୁ ଗୋଟିଏ ଦିନ ପରିବର୍ତ୍ତେ ତିନି ଦିନ ଚଳାଚଳ କରିବ। ଏହି ପଦକ୍ଷେପ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ସହିତ ଯାତ୍ରୀମାନଙ୍କୁ ଉନ୍ନତ ଯାତ୍ରା ସୁବିଧା ପ୍ରଦାନ କରିବା ପାଇଁ ରେଳମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରକାଶ କରୁଛି।

ଟ୍ରେନ୍‌ ନମ୍ବର ୧୯୦୨୧ ଉଧନା-ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସ, ଯାହା ପୂର୍ବରୁ କେବଳ ରବିବାର ଚାଲୁଥିଲା, ଏବେ ୧୯ ନଭେମ୍ବର ୨୦୨୫ ଠାରୁ ସପ୍ତାହରେ ତିନି ଦିନ – ରବିବାର, ବୁଧବାର ଏବଂ ଶୁକ୍ରବାର ଚାଲିବ।

ସେହିପରି, ଟ୍ରେନ ନମ୍ବର ୧୯୦୨୨ ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସ, ଯାହା ପୂର୍ବରୁ କେବଳ ସୋମବାରରେ ଚଳାଚଳ କରୁଥିଲା, ଏବେ ୨୦ ନଭେମ୍ବର ୨୦୨୫ ଠାରୁ ସପ୍ତାହରେ ତିନି ଦିନ – ସୋମବାର, ଗୁରୁବାର ଏବଂ ଶନିବାର – ଚଳାଚଳ କରିବ। ବର୍ତ୍ତମାନର ଅମୃତ ଭାରତ ଏକ୍ସପ୍ରେସର ସମୟ, ରହଣି ସ୍ଥାନ କିମ୍ବା କୋଚ ଗଠନରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହି ସମ୍ପର୍କରେ ଜାରି କରାଯାଇଥିବା ସମସ୍ତ ପୂର୍ବ ନିର୍ଦ୍ଦେଶ ଅପରିବର୍ତ୍ତିତ ରହିଛି। ଏହି ଟ୍ରେନ ବିଜୟନଗର ଦେଇ ରାୟଗଡା, ମୁନିଗୁଡା କେସିଙ୍ଗା ଦେଇ ଟିଟିଲାଗଡ଼ ,ରାୟପୁର ଦେଇ ଉଧନା ଅଭିମୁଖେ ୩ ଦିନ ଚାଲିବ ।

ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି ଯେ ସେମାନେ ସଂଶୋଧିତ ଚଳାଚଳ ଉପରେ ଧ୍ୟାନ ଦିଅନ୍ତୁ ଏବଂ ସେହି ଅନୁସାରେ ସେମାନଙ୍କର ଯାତ୍ରା ଯୋଜନା କରନ୍ତୁ। ଏହି ଖବର ଜାଣିବା ପରେ କଳାହାଣ୍ଡି ଜିଲା ରେଳ ଯାତ୍ରୀର ସଭାପତି ସୁବାସ ଜୈନ, ସାଧାରଣ ସମ୍ପାଦକ ଡମ୍ବରୁ ଧର ଭୋଇ,ସଦସ୍ୟ ତୁମେଶ୍ୱର ସାହୁଙ୍କ ସମେତ ସଂଘର ସମସ୍ତ କର୍ମକର୍ତ୍ତା ଡି ଆର ଏମ ସମ୍ବଲପୁରକୁ ଧନ୍ୟବାଦ ଜଣାଇଛନ୍ତି।

 

Dharitri – The Largest & Most Trusted Odia Daily