
ଭୁବନେଶ୍ୱର,୧୮।୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ୨୦୨୫-୨୬ ଆର୍ଥିକବର୍ଷ ପାଇଁ ୨.୯୦ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି, ଯାହାକି ୨୦୨୪-୨୫ ଆର୍ଥିକବର୍ଷର ବଜେଟ ପରିମାଣ ୨.୬୫ ଲକ୍ଷ କୋଟି ଟଙ୍କା ତୁଳନାରେ ୯% ଅଧିକ। ୨୦୨୩-୨୪ରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୯.୬% ରହିଥିବାବେଳେ ୨୦୨୪-୨୫ରେ ଏହା ୭.୨%କୁ ହ୍ରାସ ପାଇଛି। ବଜେଟରେ ବିତ୍ତୀୟ ନିଅଣ୍ଟ ପରିମାଣରେ ୦.୧% ବୃଦ୍ଧି ପାଇଛି।
୨୦୨୪-୨୫ରେ ବିତ୍ତୀୟ ନିଅଣ୍ଟ ରାଜ୍ୟ ଜିଡିପିର ୩.୧% ଥିବାବେଳେ ସଦ୍ୟ ବଜେଟରେ ଏହା ୩.୨%କୁ ବଢ଼ିବ। ୨୦୨୩-୨୪ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ପରିମାଣ ରାଜ୍ୟ ଜିଡିପିର ୧.୮%(ସଂଶୋଧିତ ବଜେଟରେ) ରହିଥିଲା। ଏଫ୍ଆରବିଏମ୍ ଆକ୍ଟ ଅନୁସାରେ ରାଜ୍ୟର ବିତ୍ତୀୟ ନିଅଣ୍ଟ ପରିମାଣ ସର୍ବାଧିକ ରାଜ୍ୟ ଜିଡିପିର ୩.୫% ପର୍ଯ୍ୟନ୍ତ ହୋଇପାରିବ। ସେହିପରି ରାଜ୍ୟର ଋଣବୋଝ ମଧ୍ୟ ୧% ବୃଦ୍ଧି ପାଇ ଜିଡିପିର ୧୨.୭%କୁ ଛୁଇଁବ ବୋଲି ଆକଳନ ହୋଇଛି।
୨୦୨୪-୨୫ ଆର୍ଥିକବର୍ଷର ସଂଶୋଧିତ ବଜେଟରେ ରାଜ୍ୟର ଋଣବୋଝ ପରିମାଣ ୧ଲକ୍ଷ ୧୦ହଜାର ୭୧୪କୋଟି ଟଙ୍କା ଥିବାବେଳେ ୨୦୨୫-୨୬ରେ ଏହା ବୃଦ୍ଧି ପାଇ ୧ଲକ୍ଷ ୩୪ହଜାର ୯୧୪କୋଟି ଟଙ୍କା (ରାଜ୍ୟ ଜିଡିପିର ୧୨.୭%) ଛୁଇଁବ। ରାଜ୍ୟରେ ମୁଣ୍ଡପିଛା ଋଣବୋଝ ୨୮୭୦୫ଟଙ୍କା ହେବ। ତେବେ ୨୦୨୯-୩୦ ଆର୍ଥିକବର୍ଷ ବେଳକୁ ସରକାର ରାଜ୍ୟ ଜିଡିପିର ୧୫.୭% ପ୍ରତିଶତ ଋଣ ଆହରଣ କରିଥିବେ ବୋଲି ଆକଳନ କରିଛନ୍ତି। ଏଫ୍ଆରବିଏମ୍ ଆକ୍ଟ ଆଧାରରେ ଋଣ ପରିମାଣ ରାଜ୍ୟ ଜିଡିପିର ୨୫% ମଧ୍ୟରେ ରହିବା ଜରୁରୀ ଥିବାବେଳେ ଓଡ଼ିଶା ଏଦିଗରେ ଭଲ ସ୍ଥିତିରେ ଅଛି ବୋଲି ବଜେଟରେ ସରକାର ଦାବି କରିଛନ୍ତି।
ରାଜ୍ୟର ଡିଜିପି ପରିମାଣ ୨୦୨୪-୨୫ରେ ୯.୨୬ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୨୫-୨୬ରେ ଏହା ୮% ହାରରେ ବାସ୍ତବ ଅଭିବୃଦ୍ଧି କରି ୧୦.୬୭ଲକ୍ଷ କୋଟି ଟଙ୍କା ଛୁଇଁବା ନେଇ ଆକଳନ କରାଯାଇଛି। ତେବେ ୨୦୨୪-୨୫ର ସଂଶୋଧିତ ଆକଳନ ଅନୁସାରେ ରାଜ୍ୟର ଜିଡିପି ପରିମାଣର ୯.୪୯ଲକ୍ଷ କୋଟି ଟଙ୍କା ଛୁଇଁବ ବୋଲି ପରିସଂଖ୍ୟାନ ନିର୍ଦ୍ଦେଶାଳୟର ଅଗ୍ରିମ ଆକଳନରୁ ଜଣାପଡ଼ିଛି।