ଓର୍‌ସାକ୍‌କୁ ଗୋଲ୍ଡ ସ୍କଚ୍‌ ଆଓ୍ବାର୍ଡ

ଭୁବନେଶ୍ୱର, ୨୦।୧(ବ୍ୟୁରୋ):ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର (ଓର୍‌ସାକ୍‌) ଚଳିତ ବର୍ଷ ନିମନ୍ତେ ସମ୍ମାନଜନକ ଗୋଲ୍ଡ ସ୍କଚ୍‌ ଆୱାର୍ଡ ପାଇବାକୁ ମନୋନୀତ ହୋଇଛି। ଏହି ପୁରସ୍କାର ଦୁଇଟି କ୍ଷେତ୍ର ପାଇଁ ମିଳିଛି। ବିନା ଜମିରେ ଚାଷ କରୁଥିବା ନକଲି ଚାଷୀଙ୍କୁ ସାଟେଲାଇଟ ଜିଆଇଏସ୍‌ ଜରିଆରେ ଧରିବା ଏବଂ ଠିକ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାରେ ଓର୍‌ସାକ୍‌ ବେଶ୍‌ ସଫଳ ହୋଇଛି। ଏଥିପାଇଁ ଏହି ସଂସ୍ଥା ଦେଶରେ ଖୁବ ସୁନାମ ଅର୍ଜନ କରିଛି। ରାଜ୍ୟରେ ପ୍ରତି ଗ୍ରାମରେ ଧାନ ଫସଲ ଥିବା ପ୍ଲଟ ଭିତ୍ତିକ କ୍ଷେତ୍ରଗୁଡ଼ିକର ବିଶ୍ଳେଷଣ ନିମନ୍ତେ ଓଡ଼ିଶା ସରକାରଙ୍କ ତରଫରୁ ଏହି ଗୋଲ୍ଡ ଇ-ପ୍ରଶାସନ ସ୍କଚ୍‌ ପୁରସ୍କାର ମିଳିଛି। ଏହି ଅଭିନବ ପ୍ରକଳ୍ପ ଦେଶରେ ପ୍ରଥମ ଥର ଲାଗି ଓଡ଼ିଶାରେ କାର୍ଯ୍ୟକାରୀ ହେଉଛି। ଯେଉଁ କୃଷକମାନେ ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ପ୍ରଣାଳୀର ପ୍ୟାଡି ପ୍ରୋକ୍ୟୁରମେଣ୍ଟ ଅଟୋମେଶନ୍‌ ସିଷ୍ଟମ୍‌ ବା ପି-ପାସ୍‌ ମାଧ୍ୟମରେ ପଞ୍ଜୀକୃତ ହୋଇଛନ୍ତି, ସେମାନଙ୍କଠାରୁ ଧାନ କ୍ରୟ କରାଯାଇଛି। ଏଥିଯୋଗୁ ଓଡ଼ିଶା ସରକାର ୧,୫୦୦ କୋଟିରୁ ଅଧିକ ଟଙ୍କା ସଞ୍ଚୟ କରିଛନ୍ତି। ଏହି ସଫଳତା ଲାଗି ସମସ୍ତ ହିତାଧିକାରୀଙ୍କୁ ଓରସାକ୍‌ ସିଇଓ ପ୍ରଫୁଲ୍ଲ କୁମାର ମଲ୍ଲିକ ଧନ୍ୟବାଦ ଦେଇଛନ୍ତି।