ଧର୍ମଶାଳା,୪।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଜାରକାର ଏକ କଲୋନୀରେ ସୁନା ସଫା ପାଉଡର ବିକ୍ରି ନାଁରେ ଲୁଟ୍ କଲେ ଦୁର୍ବୃତ୍ତ । ଜଣେ ମହିଳାଙ୍କ ଦେହରେ ଛୁରି ଲଗାଇ ସୁନା ଗହଣା ଦୁର୍ବୃତ୍ତ ଲୁଟ୍ କରି ନେଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଜଣେ ଯୁବକ ବୁଧବାର ସମୟ ୧୧ଟା ବେଳେ ବର୍ଜୁ ନଗର ନାମକ କଲୋନୀକୁ ସୁନା ଓ ତମ୍ବା ସଫା ପାଉଡର ବିକ୍ରି ପାଇଁ ଆସି ଅନେକ ଘରକୁ ଯାଇ ପାଉଡର ବିକ୍ରି ପାଇଁ ନିବେଦନ କରିଥିଲେ, କିନ୍ତୁ କେହି ଏହାକୁ କିଣିବାକୁ ଚାହିଁନଥିଲେ ।
ପରେ ଉକ୍ତ କଲୋନୀରେ ଆଉ ଜଣଙ୍କ ଘର ଗେଟ୍ ନିକଟରେ ମହିଳା ଜଣଙ୍କୁ ପାଉଡର ନେବା ପାଇଁ କହିଥିଲେ । ମହିଳା ଜଣକ ଗେଟ୍ ଖୋଲି ତାଙ୍କ ପାଖରେ ପହଞ୍ଚିବା ମାତ୍ରେ ମହିଳାଙ୍କ ଦେହରେ ଛୁରି ଲଗାଇ ସୁନା ଅଳଙ୍କାର ଖୋଲି ଦେବାକୁ ଧମକ ଦେଇଥିଲେ । ମହିଳା ଜଣକ ଭୟରେ ହାତରେ ପିନ୍ଧିଥିବା ସୁନା ଚୁଡ଼ି ଓ ମୁଦି କାଢ଼ି ଦେଇ ଦେଇଥିଲେ । ପୂର୍ବରୁ ବାଇକରେ ବସି ଅପେକ୍ଷା କରିଥିବା ଅନ୍ୟ ଜଣେ ଦୁର୍ବୃତ୍ତ ସହ ଯୁବକ ଜଣକ ଫେରାର ମାରିଥିଲେ । ଦୁର୍ବୃତ୍ତ ଜଣଙ୍କ ହିନ୍ଦୀରେ କଥାବାର୍ତ୍ତା କରୁଥିବା ମହିଳା ଜଣଙ୍କ ପୋଲିସରେ ଅଭିଯୋଗ କରିଛନ୍ତି । ତେବେ ଘଟଣାକୁ ନେଇ କଲୋନୀ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।