ବଲାଙ୍ଗୀର, ୨୯|୧୨ – (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡା ଠାରେ ଗତ ୨୨ ତାରିଖ ଦିନ ସଫେଇ ନାଁରେ ସୁନା ଚେନ୍ ଲୁଟି ଫେରାର ମାରିଥିବା ଦୁଇ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି ଟାଉନ ଥାନା ପୋଲିସ । ଗିରଫ ଦୁଇ ଲୁଟେରା ହେଲେ ବିହାର ପ୍ରଦେଶ କଟିହାର ଜିଲା କୁରସେଲା ଥାନା ଅନ୍ତର୍ଗତ ସମେଲି ଗାଁର ରୋହିତ କୁମାର ସାହୁ (୨୩) ଓ ସିକନ୍ଦର ସାହୁ (୩୮) ।
ଏହି ଦୁଇ ଅଭିଯୁକ୍ତ ଗତ ୨୨ ତାରିଖ ଦିନ ପ୍ରାୟ ୧୨ ଟା ବେଳେ ତେଲିଗୋଠ ପଡା ନିବାସୀ ଭକ୍ତ ପ୍ରସାଦ ଖମାରୀଙ୍କ ଘରକୁ ଯାଇ ସୁନା ଚେନ୍ ସଫେଇ କରିବାକୁ କହିଥିଲେ । ତେବେ ମନା କରିବାରୁ ଖମାରୀଙ୍କ ସ୍ତ୍ରୀ ଭୂମିସୂତା ହୋତାଙ୍କ ବେକରୁ ପ୍ରାୟ ୨୨/୨୪ ଗ୍ରାମର ସୁନା ଚେନ୍ ଲୁଟି ଫେରାର ହୋଇଯାଇଥିଲେ। ଏନେଇ ଅଭିଯୋଗ ପରେ ଟାଉନ ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।
ପୋଲିସ ତତ୍ପରତାର ସହ ତଦନ୍ତ କରି ମାତ୍ର ୭ ଦିନ ଭିତରେ ଦୁଇ ଲୁଟେରାଙ୍କୁ ଗିରଫ କରିବା ସହ ସୁନା ଚେନ୍ ଜବତ କରି ଉକ୍ତ ମହିଳାଙ୍କୁ ଫେରସ୍ତ କରିଛି । ପୋଲିସ ଠାରୁ ସୁନା ଚେନ୍ ଗ୍ରହଣ କରିବା ପରେ ଖମାରୀ ଦମ୍ପତି ବଲାଙ୍ଗୀର ପୋଲିସ ଏସପି ଅଭିଳାଷ ଜି, ଏସଡିପିଓ ସରୋଜ କୁମାର ଉପଧ୍ୟାୟ ଓ ଟାଉନ ଥାନା ଆଇଆଇସିଙ୍କୁ ଧନ୍ୟବାଦ ଦେଇଛନ୍ତି ।


