ଭବାନୀପାଟଣା,୧୭।୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଜୟଦେବ ଭବନ ଠାରେ ରାଜ୍ୟ ସାହିତ୍ୟ ସଂସ୍କୃତି ବିଭାଗ ଏବଂ ସଂସ୍କୃତି ମଞ୍ଚ ଆନୁକୂଲ୍ୟରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବରିଷ୍ଠ କଳାକାରଙ୍କୁ ଶନିବାର ଲୋକକଳା ସମ୍ମାନ ରେ ସମ୍ମାନିତ କରାଯାଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡିର ଯୁବ ପ୍ରତିଭା, ବରିଷ୍ଠ କଳାକାର ତଥା ସଂଗୀତ ନିର୍ଦ୍ଦେଶକ ସତ୍ୟବ୍ରତ ଦାଶଙ୍କୁ “ଲୋକକଳା ସମ୍ମାନ ୨୦୨୬” ରେ ସମ୍ମାନିତ କରାଯାଇଛି। ଯାହାକୁ ନେଇ ଜିଲାରେ ଖୁସିର ଲହରୀ ଖେଳିଯାଇଛି। ପ୍ରକାଶ ଯେ, ସତ୍ୟବ୍ରତ ଭବାନୀପାଟଣା ଗଣନାଥପୁରର ବରିଷ୍ଠ ଶିକ୍ଷାବିତ୍ ସ୍ବର୍ଗତ ଦୟାନିଧି ଦାଶ ଏବଂ କାଞ୍ଚନବାଳା ଦାଶଙ୍କ ସୁପୁତ୍ର ଅଟନ୍ତି । ସେ ଏକାଧାରରେ ଜଣେ ରାଜ୍ୟ ଏବଂ ଜାତୀୟ ସ୍ତରୀୟ ତବଲା ବାଦକ, ଆକାଶବାଣୀ ଓ ଦୂରଦର୍ଶନ ସ୍ବୀକୃତି ପ୍ରାପ୍ତ କଳାକାର । ତାଙ୍କର ରଚନାର ବହୁ ଗୀତ ଶ୍ରୋତାଙ୍କ ମନମୁଗ୍ଧ କରିଛି । ବିଭିନ୍ନ ସଂଗୀତ ଯନ୍ତ୍ରାଂଶକୁ ଅତି ସୁନ୍ଦର ଭାବରେ ବହୁ ମଞ୍ଚରେ ଯାଦୁକରୀ ଭାବେ ପ୍ରଦର୍ଶନ କରି ଜିଲାର ଗୌରବକୁ ସତଗୁଣା କରିଛନ୍ତି । ପୂର୍ବରୁ ସେ ବିଭିନ୍ନ ସମ୍ମାନରେ ଯଥା କୌଶଳ ଗୌରବ, ପ୍ରାଇଡ ଅଫ ଓଡିଶା, ବେଷ୍ଟ ଫୋକ ରିସର୍ଚ୍ଚର ଅଫ ଓଡିଶା, ସଂଗୀତ ଯୁବ ରତ୍ନ, ଯୁବ ପ୍ରତିଭା ସମ୍ମାନରେ ମଧ୍ୟ ସମ୍ମାନିତ ହୋଇସାରିଛନ୍ତି । କଳା ଓ ସଂସ୍କୃତିକୁ ଆହୁରି ଆଗକୁ ନେବା ନିମନ୍ତେ ତାଙ୍କୁ ସଂସ୍କୃତି ବିଭାଗ ତରଫରୁ ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ପ୍ରିୟଦର୍ଶି ମିଶ୍ର, ଓଡିଶାର ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, ବେଦ ବାଚସ୍ପତି ପଣ୍ଡିତ ବୀରେନ୍ଦ୍ର ତ୍ରିପାଠୀ, ଜଗନ୍ନାଥ ପ୍ରଧାନ ପ୍ରମୁଖ ଲୋକକଳା ସମ୍ମାନରେ ସମ୍ମାନିତ କରିଥିଲେ। ଲୋକକଳା ସମ୍ମାନରେ
ସତ୍ୟବ୍ରତ ସମ୍ମାନୀତ ହୋଇ ଜିଲା ପାଇଁ ଗୌରବ ଆଣିଥିବାରୁ ଜିଲାର ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।