ନୂଆଦିଲ୍ଲୀ,୨୩।୧୦: ‘ରେୟାର ଅର୍ଥ’ ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ୧୭ଟି ବିଶେଷ ରାସାୟନିକ ଉପାଦାନର ଏକ ପରିବାର। ଯେପରିକି- ଲାନ୍ଥାନମ୍, ସେରିୟମ୍, ନିଓଡାଇମିୟମ୍ ଇତ୍ୟାଦି। ଏହା ମୋବାଇଲ୍, ଟେଲିଭିଜନ୍, ଲ୍ୟାପଟପ୍, ଇଲେକ୍ଟ୍ରିକ୍ ସ୍କୁଟର, ଏପରିକି ମିସାଇଲ୍ ତିଆରିରେ ଏହି ଧାତୁଗୁଡ଼ିକ ଅତ୍ୟନ୍ତ ଜରୁରୀ।
ଏହି ଧାତୁ ପୃଥିବୀରେ ବହୁଳ ପରିମାଣରେ ଥିଲେ ମଧ୍ୟ ଏହା ଅଲଗା ଅଲଗା ହୋଇ ବିକ୍ଷିପ୍ତ ଭାବେ ରହିଛି। ଏହାକୁ ଖଣିରୁ ବାହାର କରି ଶୁଦ୍ଧ କରିବାର ପ୍ରକ୍ରିୟା ଅତ୍ୟନ୍ତ ଜଟିଳ, ବ୍ୟୟବହୁଳ ଏବଂ ପରିବେଶ ପାଇଁ କ୍ଷତିକାରକ, ତେଣୁ ଏହାକୁ ‘ରେୟାର ଅର୍ଥ’ କୁହାଯାଏ।
ବିଶ୍ୱର ପ୍ରାୟ ୮୦ ପ୍ରତିଶତ ‘ରେୟାର ଅର୍ଥ’ ଉତ୍ପାଦନ ଉପରେ ଚାଇନାର କବଜାରେ ରହିଛି। ଚାଇନା କେବଳ ଖନନ ନ କରି, ଏହାକୁ ଶୋଧନ କରି ଇଲେକ୍ଟ୍ରୋନିକ୍ ଅଂଶ ଏବଂ ଶକ୍ତିଶାଳୀ ଚୁମ୍ବକ ମଧ୍ୟ ତିଆରି କରୁଛି। ଯେହେତୁ ସବୁ ଦେଶ ଇଲେକ୍ଟ୍ରିକ୍ ଗାଡ଼ି ଏବଂ ସବୁଜ ଶକ୍ତି ଆଡକୁ ଯାଉଛନ୍ତି, ଏହି ଉପାଦାନର ଚାହିଦା ଆଗାମୀ ୫-୭ ବର୍ଷରେ ଦୁଇଗୁଣ ବଢ଼ିବ। ଏହି କାରଣରୁ ଯଦି ଚାଇନା ଯୋଗାଣ ବନ୍ଦ କରେ, ତେବେ ଆମେରିକାଠାରୁ ଆରମ୍ଭ କରି ଜାପାନ ପର୍ଯ୍ୟନ୍ତ ସମସ୍ତଙ୍କର ଉତ୍ପାଦନ ପ୍ରଭାବିତ ହେବ। ତେଣୁ ଏହି ଉପାଦାନ ଆଜିର ଦୁନିଆରେ ନୂଆ ‘ଜିଓପଲିଟିକାଲ୍ କରେନ୍ସି’ ବା ରାଜନୈତିକ ମୁଦ୍ରା ପାଲଟିଛି।
ଭାରତ ପାଖରେ ମଧ୍ୟ ‘ରେୟାର ଅର୍ଥ’ର ବଡ଼ ଭଣ୍ଡାର ରହିଛି, ବିଶେଷ କରି କେରଳ, ଓଡ଼ିଶା, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ବାଲିରେ ଥିବା ‘ମୋନାଜାଇଟ୍’ ଖଣିଜରେ। କିନ୍ତୁ ଏହି ଧାତୁକୁ ଶୁଦ୍ଧ କରିବା ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ତିଆରି କରିବାର ଉନ୍ନତ ପ୍ରଯୁକ୍ତି ବିଦ୍ୟା ଭାରତ ପାଖରେ ନାହିଁ।
‘ମେକ୍ ଇନ୍ ଇଣ୍ଡିଆ’ ଅଧୀନରେ ପ୍ରାୟ ୧୩୦୦ କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରାଯାଉଛି। ଭାରତ ସରକାର ‘ଇଣ୍ଡିଆ ରେୟାର ଅର୍ଥସ୍ ଲିମିଟେଡ୍ (IREL)’କୁ ବିସ୍ତାର କରି ନିଜ ଦେଶର ଉପାଦାନରେ ନିଜସ୍ୱ ପ୍ରଯୁକ୍ତି ବିଦ୍ୟାକୁ ଆଗକୁ ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି।
୨୦୨୪ରେ ବିଶ୍ୱର ‘ରେୟାର ଅର୍ଥ’ ବଜାରର ମୂଲ୍ୟ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ଥିଲା ଏବଂ ୨୦୩୦ ସୁଦ୍ଧା ଏହା ତିନିଗୁଣ ବଢ଼ିବାର ସମ୍ଭାବନା ରହିଛି। ଏହି ଧାତୁକୁ ଆଜିର ଦୁନିଆର ନୂଆ ‘ତୈଳ ୨.୦’ ଭାବେ ଦେଖାଯାଉଛି। ଯିଏ ଏହାକୁ ନିୟନ୍ତ୍ରଣ କରିବ, ସିଏ ହିଁ ଭବିଷ୍ୟତର ପ୍ରଯୁକ୍ତି ବିଦ୍ୟା ଏବଂ ଅର୍ଥନୀତିକୁ ନିୟନ୍ତ୍ରଣ କରିବ।


