ବିଶ୍ୱସ୍ତରୀୟ ହେବ ବାଲି ଯାତ୍ରା: ଇଣ୍ଡୋନେସିଆ ସହଯୋଗୀ ରାଷ୍ଟ୍ର ଘୋଷଣା

କଟକ,୨୬ା୧୦: ଓଡ଼ିଶାର ବୃହତ୍ତମ ବାଣିଜ୍ୟ ମେଳା କଟକର ବାଲିଯାତ୍ରା ପାଇଁ ଚଳିତ ବର୍ଷ ଇଣ୍ଡୋନେସିଆକୁ ‘ପାର୍ଟନର ଦେଶ’ ଭାବେ ଘୋଷଣା କରାଯାଇଛି। କଟକ ଜିଲା ପ୍ରଶାସନ ପକ୍ଷରୁ ଏହି ଘୋଷଣା କରାଯାଇଛି।

ପ୍ରାଚୀନ କାଳରେ କଳିଙ୍ଗ ଓ ଇଣ୍ଡୋନେସିଆର ବାଲି, ଜାଭା ଏବଂ ସୁମାତ୍ରା ଦ୍ୱୀପପୁଞ୍ଜ ମଧ୍ୟରେ ଥିବା ପୁରୁଣା ବାଣିଜ୍ୟ ଏବଂ ସାଂସ୍କୃତିକ ସମ୍ପର୍କକୁ ପାଳନ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସେତେବେଳେ କଳିଙ୍ଗର ‘ସାଧବ’ ମାନେ ସମୁଦ୍ର ପଥରେ ଏହି ଦେଶକୁ ଯାଇ ବାଣିଜ୍ୟ କରୁଥିଲେ।

ଚଳିତ ବର୍ଷ ବାଲିଯାତ୍ରା ନଭେମ୍ବର ୫ ରୁ ୧୨ ତାରିଖ ପର୍ଯ୍ୟନ୍ତ କଟକ ମହାନଦୀ କୂଳରେ ୬୦ ଏକରରୁ ଅଧିକ ଜମିରେ ଅନୁଷ୍ଠିତ ହେବ। ଇଣ୍ଡୋନେସିଆର ହସ୍ତଶିଳ୍ପ ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରଦର୍ଶନ ପାଇଁ ବାଲିଯାତ୍ରା ପଡ଼ିଆରେ ଏକ ସ୍ୱତନ୍ତ୍ର ପାଭିଲିୟନ ତିଆରି କରାଯିବ। ଇଣ୍ଡୋନେସିଆର ଏକ ପ୍ରତିନିଧି ଦଳ ମଧ୍ୟ ଏହି ସମୟରେ ଓଡ଼ିଶା ଗସ୍ତରେ ଆସିବାର ସମ୍ଭାବନା ରହିଛି।

ପାର୍ଟନର ଦେଶ ଭାବେ ଇଣ୍ଡୋନେସିଆର ଯୋଗଦାନ ଯୋଗୁଁ ଏଥର ବାଲିଯାତ୍ରାର ବିଶ୍ୱସ୍ତରୀୟ ଆକର୍ଷଣ ବଢ଼ିବ ବୋଲି ପ୍ରଶାସନ କହିଛି। ବାଲିଯାତ୍ରା ସାଧାରଣତଃ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆରମ୍ଭ ହୋଇ ପ୍ରାୟ ସପ୍ତାହେ ଧରି ଚାଲେ। ଏହାକୁ ରାଜ୍ୟ ସରକାର ରାଜ୍ୟ ଉତ୍ସବ ମାନ୍ୟତା ଦେଇଛନ୍ତି।

Share