ଭୁବନେଶ୍ୱର,୩୦।୪(ସତ୍ୟଜିତ୍ ରାଉତ): ସମ୍ପର୍କରେ ତିକ୍ତତା ପରେ ପ୍ରତିଶୋଧ ପରାୟଣ ହୋଇପଡିଥିଲେ ପ୍ରେମିକ। ପ୍ରେମିକାଙ୍କ ନାଁରେ ସୋସିଆଲ ମିଡିଆରେ ଫେକ୍ ଆଇଡି ଖୋଲି ନଗ୍ନ(ନ୍ୟୁଡ) ଫଟୋ ଛା଼ଡ଼ିଥିଲେ। ଏହି ଘଟଣାରେ ଭୁବନେଶ୍ୱର ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେହେଲେ ଭଦ୍ରକ ଜିଲା ଧୁଷୁରୀ ଥାନା ଅନ୍ତର୍ଗତ ଭଣ୍ଡାରୀପଡ଼ା ଗାଁର ସୁମିତ କୁମାର ଦାସ। ସୋମବାର ରାତିରେ କୋର୍ଟ ଚାଲାଣ କରାଯାଇଥିବାବେଳେ ସୁମିତଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ମାମଲା ଅନୁଯାୟୀ, ୪ରୁ ୫ ବର୍ଷ ହେବ ଅଭିଯୋଗକାରିଣୀ ଭଦ୍ରକର ଯୁବତୀ ଅଭିଯୁକ୍ତ ସୁମିତଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ପରେ ସୁମିତ ମିଥ୍ୟା ଆରୋପ ଲଗାଇ ପୀଡ଼ିତା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଗାଳିଗୁଲଜ କରିଥିଲେ। ଏହି କାରଣରୁ ଯୁବତୀ ଜଣକ ତାଙ୍କଠାରୁ ଦୂରେଇ ଯାଇଥିଲେ। ଫଳରେ ସୁମିତ ରାଗିଯିବା ସହ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ। ବିଭିନ୍ନ ଉପାୟରେ ପ୍ରେମିକା ଓ ତାଙ୍କ ପରିବାର ଲୋକଙ୍କୁ ହଇରାଣ କରିଥିଲେ। ପ୍ରେମିକାଙ୍କ ନାଁରେ ସୁମିତ ଫେସବୁକରେ ୨ଟି ଓ ଇନ୍ଷ୍ଟାଗ୍ରାମରେ ଗୋଟିଏ ଫେକ୍ ଆକାଉଣ୍ଟ ଖୋଲିଥିଲେ। ଏଡିଟ୍ କରି ପ୍ରେମିକାଙ୍କ ନ୍ୟୁଡ ଫଟୋ ଶେୟାର କରିଥିଲେ। ୭ ମାସ ହେଲା ସୁମିତ ଏଭଳି ନିର୍ଯାତନା ଦେଉଥିଲେ। ଭୁବନେଶ୍ୱରରେ ଚାକିରି କରୁଥିବା ପ୍ରେମିକା ଜଣକ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ। ଏପ୍ରିଲ ୧୦ରେ ପୋଲିସ ଏକ ମାମଲା (ନଂ.୬୦/୨୦୨୫) ରୁଜୁ କରି ତଦନ୍ତ କରିଥିଲା।