ପରିବାରଲୋକେ କରୁଥିଲେ ନାପସନ୍ଦ, ପ୍ରେମିକଙ୍କୁ ପାଇବାକୁ ଅପହରଣ ନାଟକ ରଚିଥିଲେ ପ୍ରେମିକା, ଏବେ ପୋଲିସ…

ଫୁଲବାଣୀ, ୨ା୧(ରାକେଶ କୁମାର ରାଉତ)- କନ୍ଧମାଳ ଜିଲା ଗୋଛାପଡା ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ କେତେ ଜଣ ଯୁବକ ତାଙ୍କ ଗାଁ ନିକଟରୁ ଏକ କାରରେ ଅପହରଣ କରି ନେବା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଯୁବତୀଙ୍କୁ ଅପହରଣ ନୁହେଁ, ପ୍ରେମ ପାଇଁ ସେ ପ୍ରେମିକଙ୍କ ସହ ମିଶି ଏପରି ଅପହରଣ ନାଟକ ରଚିଥିଲେ ବୋଲି ତଦନ୍ତରୁ ଜଣାପଡିଛି।

ଖବରରୁ ପ୍ରକାଶ, ଫୁଲବାଣୀ ସଦର ଥାନା ଦଡିକି ପଞ୍ଚାୟତ ଜାମଝିରି ଗାଁର ଜଣେ ଯୁବକଙ୍କୁ ସମ୍ପୃକ୍ତା ଯୁବତୀ ପ୍ରେମ କରି ଆସୁଥିଲେ । ତେବେ ଉଭୟଙ୍କ ସମ୍ପର୍କକୁ ଯୁବତୀଙ୍କ ପରିବାର ଲୋକେ ପସନ୍ଦ କରୁ ନ ଥିଲେ। ଫଳରେ ଗତ ମଙ୍ଗଳବାର ଯୁବତୀ ଜଣକ ତାଙ୍କ ପ୍ରେମିକଙ୍କ ସହ ଫେରାର ହେବାକୁ ଯୋଜନା କରିଥିଲେ। ସେହି ଅନୁସାରେ ପ୍ରେମିକ ଜଣକ ବୁଧବାର ସକାଳୁ ଏକ କାରରେ କେତେ ଜଣ ସହଯୋଗୀଙ୍କୁ ଧରି ବନ୍ଧୁଲି ଛକକୁ ଆସିଥିଲେ। ଯୁବତୀ ଜଣକ ସେଠାରେ କାରରେ ବସି ତାଙ୍କ ପ୍ରେମିକଙ୍କ ସହ ଚାଲି ଯାଇଥିଲେ । ଯୁବତୀଙ୍କୁ ପଚରାଉଚୁରା ପରେ ଏପରି ଅପହଣଣ ନାଟକ ସେ ନିଜେ କରିଥିବା ପ୍ରକାଶ କରିଛନ୍ତି। ଶନିବାର ସମ୍ପୃକ୍ତା ଯୁବତୀଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ଚିରଞ୍ଜୀବ ବେହେରା କହିଛନ୍ତି ।

ସୂଚନାଯୋଗ୍ୟ, ୬ ଜଣ ଯୁବକ ଏକ କାରରେ ଆସି ବନ୍ଧୁଲି ଛକ ନିକଟରୁ ସମ୍ପୃକ୍ତା ଯୁବତୀଙ୍କୁ ମଙ୍ଗଳବାର କାରରେ ବସାଇ ନେଇ ଯାଇଥିଲେ। ଏନେଇ ପରିବାର ଲୋକେ ଥାନାରେ ଜଣାଇ ଗାଡ଼ି ପଛରେ ଗୋଡାଇ ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅନ୍ତର୍ଗତ କୁମେଲବନ୍ଧ ପାଖରୁ ଦୁଇ ଜଣଙ୍କୁ ଧରି ପୋଲିସ ଜିମା ଦେଇଥିଲେ। ପୋଲିସ ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ଜାରି ରଖିଥିଲା ।

 

Dharitri – Odisha’s No.1 Odia Daily

Share