ଦିଗପହଣ୍ଡି,୨୪ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଆନୁକୁଲ୍ୟରେ ଶୁକ୍ରବାର ଦିଗପହଣ୍ଡି ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ବ୍ଲକ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ତଥା ସହଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ, ରସାନନ୍ଦ ଘଡେଇ, ବିଶ୍ରବା ପାଇକଙ୍କ ମିଳିତ ସଂଯୋଜନାରେ ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପାଣିଗ୍ରାହୀ, ସହକାରୀ ଶିକ୍ଷକ ଡ଼. ପ୍ରଦୀପ କୁମାର ମହାପାତ୍ର, ବିଜୟ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ବାଳିକା ସଶକ୍ତୀକରଣର ମୂଳଲକ୍ଷ୍ୟ ନେଇ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ରଚନା ଓ ସ୍ଳୋଗାନ ଲିଖନ ଭଳି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଉଦଯାପନୀ ସମାରୋହରେ ଦିଗପହଣ୍ଡି ସିଡିପିଓ ପୁଷ୍ପାଞ୍ଜଳୀ ଶତପଥୀ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ବଣ୍ଟନ କରିଥିଲେ। ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

