ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଘେଁସ ଗ୍ରାମରେ ଶହୀଦଙ୍କ ସ୍ମାରକୀ ପ୍ରତିଷ୍ଠା ହେବ ଏବଂ ଏଥିରେ ତାଙ୍କ ପ୍ରତିମୂର୍ତ୍ତି ନିର୍ମାଣ ସହିତ ଏକ ସ୍ବାଗତ ତୋରଣ, କମ୍ୟୁନିଟି ସେଣ୍ଟର ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି। ଏଥିପାଇଁ ୬.୨୬ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାର ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ପ୍ରଥମ ପର୍ଯ୍ୟାୟରେ ୨୫ ଜଣ ବରପୁତ୍ରଙ୍କ ଜନ୍ମପୀଠର ବିକାଶ କରୁଛନ୍ତି। ଏହି ଯୋଜନାରେ ୧୫ କୋଟି ଟଙ୍କା ବିନିଯୋଗରେ ଶହୀଦ ମାଧୋ ସିଂହଙ୍କ ଜନ୍ମପୀଠ ଓ ଗ୍ରାମର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଘେଁସ କଲେଜକୁ ଶହୀଦ ମାଧୋ ସିଂହ ସ୍ମାରକୀ ମହାବିଦ୍ୟାଳୟ ନାମରେ ନାମିତ କରାଗଲା ବୋଲି ଘୋଷଣା କରିଛନ୍ତି। ଏଥିସହିତ ୪ କୋଟି ୪୦ ଲକ୍ଷ ୫୯ ହଜାର ଟଙ୍କା ବ୍ୟୟରେ ୧୦୦ ଆସନ ବିଶିଷ୍ଟ ଏକ ଆଧୁନିକ ଅର୍ବାନ ମଡର୍ନ ଗଲର୍‌ସ ହଷ୍ଟେଲ ମଧ୍ୟ ନିର୍ମାଣ କରାଯିବ ଏବଂ ଘେଁସ କଲେଜକୁ ସମ୍ପୂର୍ଣ୍ଣ ନୂଆରୂପରେ ବିକାଶ କରାଯିବ ବୋଲି ସେ ଘୋଷଣା କରିଥିଲେ। ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ, ମାଧୋ ସିଂହଙ୍କ ପରି ଦେଶଭକ୍ତ ସମ୍ପୂର୍ଣ୍ଣ ମାନବ ସମାଜକୁ ଗୌରବାନ୍ବିତ କରିଛନ୍ତି। ସେମାନଙ୍କ ତ୍ୟାଗ କେବଳ ଓଡ଼ିଶା ନୁହେଁ, ସାରା ଭାରତ ଏପରିକି ବିଶ୍ୱ ଇତିହାସରେ ବିରଳ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଦେଶ ପାଇଁ ସେ ନିଜ ଜୀବନ ସହିତ ନିଜର ଚାରିପୁଅ ଓ ଜାମାତା ମଧ୍ୟ ବଳିଦାନ ଦେଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଆଦିବାସୀ କେବଳ ଯୁଦ୍ଧ ନୁହେଁ, ସମାଜ ଗଠନ ଦିଗରେ, ସାମାଜିକ ଶୃଙ୍ଖଳା ରକ୍ଷା ଦିଗରେ ନିଜର ଯୋଗଦାନ ଦେଇଆସିଛନ୍ତି। ଶହୀଦ ମାଧୋ ସିଂହଙ୍କୁ ନିଜର ଆଦର୍ଶ ମନେକରି ବିଂଝାଳ ଜାତି ତାଙ୍କ ବୀରତା ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଆଗାମୀ ପିଢ଼ି ସହିତ ପରିଚିତ କରାଇବାର ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି ବୋଲି କହିବା ସହିତ ଆଦିବାସୀ କଲ୍ୟାଣ ସଂଘକୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଥିଲେ। ଘେଁସର ଏହି ମହାନାୟକଙ୍କୁ ଯଥୋଚିତ ସମ୍ମାନ ଦେବା ପାଇଁ ତାଙ୍କ ଜନ୍ମପୀଠ ଘେଁସକୁ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ କରାଯାଇଛି। ଏହା ମାଧ୍ୟମରେ ଶହୀଦଙ୍କ ଜନ୍ମପୀଠର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଜନଜାତି ବର୍ଗର ଛାତ୍ରୀଛାତ୍ରଙ୍କ ମଧ୍ୟରେ ସ୍କୁଲ ଡ୍ରପ୍‌ଆଉଟ ହାର ରୋକିବା ପାଇଁ ‘ଶହୀଦ ମାଧୋ ସିଂହ ହାତଖର୍ଚ୍ଚ’ ଯୋଜନା ପ୍ରସ୍ତୁତ ହୋଇଛି। ଏହି ଯୋଜନାରେ ଛାତ୍ରୀଛାତ୍ରମାନଙ୍କୁ ନବମ ଓ ଏକାଦଶ ଶ୍ରେଣୀରେ ଅଧ୍ୟୟନ ପାଇଁ ଏକକାଳୀନ ସହାୟତା ରାଶି ଭାବରେ ଛାତ୍ରୀଛାତ୍ର ପିଛା ୫ ହଜାର ଟଙ୍କା ପ୍ରଦାନ କରାଯାଉଛି। ଘେଁସ ଗ୍ରାମ ପଞ୍ଚାୟତର ମଧ୍ୟ ୧୦୦ଜଣ ଛାତ୍ରୀଛାତ୍ର ଏହି ଯୋଜନାରେ ସାମିଲ ହୋଇଛନ୍ତି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମର ପରିସମାପ୍ତି ପରେ ମୁଖ୍ୟମନ୍ତ୍ରୀ ଶହୀଦ ମାଧୋ ସିଂହଙ୍କ ବାସଭବନ ପରିସରରେ ତାଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ। କାର୍ଯ୍ୟକ୍ରମରେ ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନୀହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଇରାସିସ୍‌ ଆଚାର୍ଯ୍ୟ, ବିଶିଷ୍ଟ କୋଶଳୀ କବି ପଦ୍ମଶ୍ରୀ ଡ. ହଳଧର ନାଗ, ଶହୀଦ ମାଧୋ ସିଂହଙ୍କ ଦାୟାଦ ଲୋକେଶ୍ୱର ସିଂ ବରିହା, ଦିଶା କମିଟି ବରଗଡ଼ର ସଦସ୍ୟ ଗୋବର୍ଦ୍ଧନ ଭୁଏ, ଜିଲାପାଳ ଆଦିତ୍ୟ ଗୋୟଲ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ବରଗଡ଼ ବୀର ଛକ (ହଳଦୀପାଲି)ରେ ଆୟୋଜିତ ଜିଲାସ୍ତରୀୟ ବୀରତା ଦିବସ ଅବସରରେ ନାଟ୍ୟକାର, ସାହିତି୍ୟକ ଚୂଡ଼ାମଣି ରଥ ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ। ଶହୀଦ ଓ ସ୍ମୃତି କମିଟିର କାର୍ଯ୍ୟକାରୀ ସଭାପତି ପ୍ରମୋଦ ଝାଙ୍କରଙ୍କ ସଭାପତିତ୍ୱ ଓ ବରିଷ୍ଠ ନାଗରିକ ସଂଘ ସଦସ୍ୟ କେଦାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟବକ୍ତା ରଥ ଶହୀଦ ବୀର ମାଧୋ ସିଂହ ଓ ତାଙ୍କ ପରିବାରର ବଳିଦାନ ଆଜିର ଯୁବ ପିଢ଼ିକୁ ଦେଶ ମାତୃକାର ସେବା କରିବାକୁ ନିଶ୍ଚିତ ପ୍ରବର୍ତ୍ତାଇବ ବୋଲି କହିଥିଲେ। ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍‌ଲା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଝାଙ୍କର ସ୍ବାଗତ ଭାଷଣ ଓ ଉପ ସଭାପତି ରବି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅତିଥି ଭାବରେ ବରଗଡ ବିଡିଓ ବି. ଡୁଙ୍ଗ୍‌ଡୁଙ୍ଗ୍‌, ଭେଡେନ ଜମିଦାର ଶହୀଦ ମନୋହର ସିଂହଙ୍କ ଦାୟାଦ ଅଶୋକ ସିଂହ ଓ ଜ୍ୟୋତ୍ସ୍ନାମୟୀ ସିଂହ, ବରିଷ୍ଠ ନାଗରିକ ସଂଘ ସମ୍ପାଦକ ଗୋବିନ୍ଦ ଦାଶ, ବରଗଡ଼ ସାମ୍ବାଦିକ ସଂଘ ଉପସଭାପତି ବୀରେନ୍ଦ୍ର ପ୍ରଧାନ, ମାଧୋ ସିଂହଙ୍କ ଭୂମିକାରେ ଥିବା ପାଣ୍ଡବ କର୍ଣ୍ଣ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଅମୂଲ୍ୟ ଭୋଇଙ୍କ ଦ୍ୱାରା ନିର୍ମିତ ଶହୀଦ ବୀର ମାଧୋ ସିଂହଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଶହୀଦ ବୀର ମାଧୋ ସିଂହ ଭୂମିକାରେ ଥିବା କର୍ଣ୍ଣ, ହଟେ ସିଂହ ଭୂମିକାରେ ଥିବା ବୀରବଲ ମହାକୁଡ଼, କୁଞ୍ଜଲ ସିଂହ ଭୂମିକାରେ ଥିବା ଅନନ୍ତ ମେହେର, ଐରୀ ସିଂହ ଭୂମିକାରେ ଥିବା କ୍ଷୀରୋଦ ବାଗ, ବୈରୀ ସିଂହ ଭୂମିକାରେ ଥିବା ଠାକୁର ବିଶାଳଙ୍କ ସମେତ ମନୋହର ସିଂହଙ୍କ ଦାୟାଦ, ମାଧୋ ସିଂହଙ୍କ ମୂର୍ତ୍ତି ତିଆରି କରିଥିବା ମୂର୍ତ୍ତିକାର ଅମୂଲ୍ୟ ଭୋଇ, ଏ. ଇ. ମିଶନ ସ୍କୁଲର ଚେୟାରମ୍ୟାନ୍‌ ଯଶବୀର ସିଂହ ଶୈନି, ବରଗଡ଼ ଫିଜିକାଲ ଏକାଡେମୀ ମୁଖ୍ୟ ସୁରେଶ ଦାଶ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?