ନୂଆଦିଲ୍ଲୀ, ୧୭ ଅକ୍ଟୋବର: ନିଯୁକ୍ତିପ୍ରାପ୍ତ କର୍ମଚାରୀମାନଙ୍କ ପାଇଁ ଏକ ବଡ଼ ଖବର! ନିଜର ପିଏଫ୍ (PF) ଆକାଉଣ୍ଟ, ପେନ୍ସନ୍ ଏବଂ ଅନ୍ୟାନ୍ୟ ନିୟମାବଳୀ ବିଷୟରେ ଜାଣିବା ପାଇଁ ଆଉ ଭିନ୍ନ ଭିନ୍ନ ପ୍ଲାଟଫର୍ମ ବୁଲିବାକୁ ପଡ଼ିବ ନାହିଁ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ଏବେ ନିଜର ଅଫିସିଆଲ୍ ହ୍ବାଟ୍ସଆପ୍ ଚ୍ୟାନେଲ୍ ଆରମ୍ଭ କରିଛି। ଏହା ମାଧ୍ୟମରେ କର୍ମଚାରୀମାନେ ସେମାନଙ୍କ ମୋବାଇଲ୍ରେ ସଂଗଠନର ସଦ୍ୟତମ ଘୋଷଣା ଏବଂ ଯୋଜନା ବିଷୟରେ ସହଜରେ ସୂଚନା ପାଇପାରିବେ। ବର୍ତ୍ତମାନ ସୁଦ୍ଧା ଏହି ଚ୍ୟାନେଲ୍ରେ ଯୋଡ଼ିହୋଇଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିସାରିଛି।
ହ୍ବାଟ୍ସଆପ୍ ଚ୍ୟାନେଲ୍ରେ କ’ଣ ସବୁ ମିଳିବ ସୁବିଧା…
ଏହି ଚ୍ୟାନେଲ୍ରେ କେବଳ ସରକାରୀ ଘୋଷଣା ନୁହେଁ, ବରଂ ଉପଯୋଗୀ ଭିଡିଓ ଏବଂ ସୂଚନାପ୍ରଦ ବିଷୟବସ୍ତୁ ମଧ୍ୟ ଶେୟାର କରାଯାଉଛି।
ପିଏଫ୍ ସମ୍ବନ୍ଧୀୟ ସୂଚନା:
ପିଏଫ୍ ଅଗ୍ରୀମ (PF Advance) ଉଠାଣ ପ୍ରକ୍ରିୟା, ନୂଆ ଚାକିରି ଆରମ୍ଭ ସମୟରେ PF ଅବଦାନ ଏବଂ ପ୍ରଧାନମନ୍ତ୍ରୀ ବିକାଶ ଭାରତ ରୋଜଗାର ଯୋଜନା ବିଷୟରେ ସବିଶେଷ ବିବରଣୀ।
ଯୋଜନା ସମ୍ପର୍କିତ ଅପଡେଟ୍:
କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF), କର୍ମଚାରୀ ପେନ୍ସନ୍ ଯୋଜନା (EPS) ଏବଂ କର୍ମଚାରୀ ଜମା ଲିଙ୍କ୍ଡ ବୀମା ଯୋଜନା (EDLI) ସମ୍ବନ୍ଧୀୟ ନିୟମ।
EPFO ସେପ୍ଟେମ୍ବର ୨୦୨୬ ପାଇଁ ଇଲେକ୍ଟ୍ରୋନିକ୍ ଚାଲାଣ-କମ୍-ରିଟର୍ଣ୍ଣ (ECR) ଦାଖଲ କରିବାର ଶେଷ ତାରିଖକୁ ୧୫ ଅକ୍ଟୋବରରୁ ୩୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏହି ରିଟର୍ଣ୍ଣରେ କର୍ମଚାରୀଙ୍କ ଦରମା ସହ PF, ପେନ୍ସନ୍ ଏବଂ ବୀମା ଅବଦାନର ସମ୍ପୂର୍ଣ୍ଣ ବିବରଣୀ ରହିଥାଏ।
EPFO ହ୍ବାଟ୍ସଆପ୍ ଚ୍ୟାନେଲ୍ରେ କେମିତି ଯୋଡ଼ିହେବେ…
– ଆପଣଙ୍କ ମୋବାଇଲ୍ରେ WhatsApp ଖୋଲନ୍ତୁ
– Updates ବିଭାଗକୁ ଯାଆନ୍ତୁ
– Channels ଅଧୀନରେ ଥିବା Explore କିମ୍ବା + ଚିହ୍ନ ଉପରେ କ୍ଲିକ୍ କରନ୍ତୁ
– ସର୍ଚ୍ଚ ବକ୍ସରେ EPFO ଟାଇପ୍ କରନ୍ତୁ
– ଅଫିସିଆଲ୍ ଚ୍ୟାନେଲ୍କୁ ଚିହ୍ନଟ କରି Follow ବଟନ୍ ଉପରେ କ୍ଲିକ୍ କରନ୍ତୁ
ଏବେ ଆପଣ EPFOର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ନିଜ ହ୍ବାଟ୍ସଆପ୍ରେ ସହଜରେ ପାଇପାରିବେ।

