ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ ଲାଇନ ଘୂରାଇ ମାରିବା ବନ୍ଦ କରିବା ଦରକାର ବୋଲି ଗାଭାସ୍କର ମତ ରଖିଛନ୍ତି। ଟି୨୦ କ୍ରିକେଟରେ ଓ୍ବାଲର୍ଡ ନଂ-୧ ବ୍ୟାଟର ଅଭିଷେକ ଏପର୍ଯ୍ୟନ୍ତ ଖେଳିଥିବା ୩ ମ୍ୟାଚ୍ରେ ଖାତା ଖୋଲିପାରି ନାହାନ୍ତି।
ଅଭିଷେକ ଜଣେ ଭଲ ଖେଳାଳି। କିନ୍ତୁ ଲୋକଙ୍କ ଆଶାର ବୋଝ ତାଙ୍କ ଉପରେ ପଡ଼ୁଥିବା ଅନୁଭବ ହେଉଛି। ଯଦି ତାଙ୍କୁ ଆମେରିକା ବିପକ୍ଷରେ ଭଲ ଆରମ୍ଭ ମିଳିଥାନ୍ତା, ତେବେ ବର୍ତ୍ତମାନ ପରିସ୍ଥିତି ଭିନ୍ନ ହୋଇଥାନ୍ତା। ମାତ୍ର ବର୍ତ୍ତମାନ ଭାରତର ଏହି ବିସ୍ଫୋରକ ବ୍ୟାଟରଙ୍କ ଉପରେ ଚାପ ପଡ଼ୁଥିବା ସ୍ପଷ୍ଟ ଜଣାପଡ଼ୁଛି। ତାଙ୍କ ପାଖରେ ବିବିଧତାପୂର୍ଣ୍ଣ କ୍ରିକେଟିଂ ଶଟ୍ ନ ଥିବାରୁ ତାଙ୍କୁ କ୍ରିଜ୍ରେ କିଛି ସମୟ ବିତାଇବା ଦରକାର।
ସେ ଇନିଂସର ପ୍ରଥମ ବଲକୁ ଚୌକା କିମ୍ବା ଛକା ମାରିବାକୁ ଉଦ୍ୟମ କରିପାରିବେ ନାହିଁ। ଯଦି ବଡ଼ ଶଟ୍ ଲାଗୁଛି, ତେବେ ଠିକ ଅଛି। କିନ୍ତୁ ସେ ନିଜକୁ ଆକ୍ରସ ଲାଇନରେ ବଡ଼ ଶଟ୍ ଖେଳିବାକୁ ବାଧ୍ୟ କରିବା ଉଚିତ ନୁହେଁ। ତାଙ୍କୁ ପ୍ରଥମେ ଏକ ସିଙ୍ଗଲ ନେଇ ଖାତା ଖୋଲିବା ଦରକାର।
ଏପରି କି ୩-୪ ଡଟ୍ ବଲ ଖେଳିଲେ ବି ଚଳିବ। ସେ ତାହାକୁ ପରେ ପୂରଣ କରିପାରିବେ। ତାଙ୍କୁ ଆରମ୍ଭରୁ ଚତୁରତାର ସହ ଖେଳିବା ଦରକାର। ପ୍ରଥମେ ଗୋଟେ କି ଦୁଇ ଓଭର ଦେଖ, ତା’ ପରେ ନିଜ ନ୍ୟାଚୁରାଲ ଗେମ ଖେଳିପାରିବେ ବୋଲି ଗାଭାସ୍କର ଏକ କ୍ରିକେଟ ଚ୍ୟାନାଲରେ କହିଛନ୍ତି।

