
ନୂଆଦିଲ୍ଲୀ,୨୩।୧: ପୂର୍ବତନ ଟିମ ଇଣ୍ଡିଆ କ୍ରିକେଟର ମନୋଜ ତିୱାରୀ ଏକ ସାକ୍ଷାତକାରରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ବିରୋଧରେ ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ଗମ୍ଭୀର ଏକ ମ୍ୟାଚ ସମୟରେ ତାଙ୍କୁ ଗାଳିଗୁଲଜ କରିଥିଲେ। ଏପରିକି ତାଙ୍କୁ ମାଡ଼ ମାରିବାକୁ ଧମକ ମଧ୍ୟ ଦେଇଥିଲେ। କଥା ହାତାହାତି ଯାଏ ପହଞ୍ଚିଥାନ୍ତା। କିନ୍ତୁ ପୂର୍ବତନ ପାକିସ୍ତାନ ଅଧିନାୟକ ୱାସିମ ଆକ୍ରମ ପରିସ୍ଥିତିକୁ ଥଣ୍ଡା କରିଥିଲେ ବୋଲି ସେ ସାକ୍ଷାତକାରରେ ଦାବି କରିଛନ୍ତି।
ଲଲନ୍ଟପ୍କୁ ଦେଇଥିବା ଏକ ସାକ୍ଷାତକାରରେ ମନୋଜ କହିଛନ୍ତି, ୨୪ ଅକ୍ଟୋବର ୨୦୧୫ରେ ମୁଁ ଏବଂ ଗମ୍ଭୀର ଏକ ରଣଜୀ ମ୍ୟାଚ୍ ଖେଳୁଥିଲୁ। ମୁଁ ମୋର ଗାର୍ଡ ନେଇଗଲି। ଗମ୍ଭୀର ସ୍ଲିପରେ ଠିଆ ହୋଇଥିଲେ। ସେଠାରୁ ସେ ମୋତେ ଏତେ ଖରାପ ଗାଳି କରିଥିଲେ ମୁଁ ସେସବୁ କହିପାରିବି ନାହିଁ। ସନ୍ଧ୍ୟାରେ ଖାଲି ଭେଟ ହୁଅ ମୁଁ ତୁମକୁ ପିଟିବି ବୋଲି ଗମ୍ଭୀର କହଥିଲେ । ଜବାବରେ ମୁଁ କହିଲି ଭାଇ, ସାରେ କାହିଁକି, ମୋତେ ଏବେ ମାର।
ସେହିଭଳି ମନୋଜ ଅଭିଯୋଗ କରିଛନ୍ତି ଯେ ଗମ୍ଭୀର କୌଣସି କାରଣ ବିନା ତାଙ୍କ ପ୍ରତି ଈର୍ଷା କରୁଥିଲେ। ସେ କହିଥିଲେ, ’ମୁଁ ଅଷ୍ଟ୍ରେଲିଆ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ୧୨୯ ରନ କରିଥିଲି। ଗମ୍ଭୀର ସେହି ମ୍ୟାଚ୍ରେ ୧୦୫ କିମ୍ବା ୧୧୦ ରନ କରିଥିଲେ। ସେ ମୋ ଉପରେ ରାଗିଗଲେ। ସେ ମୋତେ ରାଗି କହିଲେ – ତୁମେ କଣ କରୁଛ, ତଳକୁ ଆସ। ମୁଁ ଯେତେବେଳେ ୱାସରୁମରେ ଥିଲି, ସେ ଆସି ମୋ ପଛରେ ଠିଆ ହୋଇ ରାଗିବାକୁ ଲାଗିଲେ। ସେ ମୋତେ କହିଲେ ଯେ ତୁମର ଏହି ଆଟିଚ୍ୟୁଡ୍ କାମ କରିବ ନାହିଁ। ମୁଁ ତୁମ ସହିତ ଏପରି କାମ କରିବି ଯେ ମୁଁ ତୁମକୁ କେବେ ଖାଇବାକୁ ଦେବି ନାହିଁ। ତା’ପରେ ୱାସିମ ଆକ୍ରମ ସେଠାକୁ ଆସିଲେ ଏବଂ ସେ ପରିସ୍ଥିତିକୁ ଶାନ୍ତ କଲେ। ସେହି ଦିନ ଝଗଡ଼ା ବଢ଼ିଯାଇଥାନ୍ତା।
ଏପରିକି ଯେତେବେଳେ ସୌରଭ ଗାଙ୍ଗୁଲି ବେଙ୍ଗଲ କ୍ରିକେଟ ବୋର୍ଡକୁ ଆସିଥିଲେ, ସେତେବେଳେ ମଧ୍ୟ ଗମ୍ଭୀରଙ୍କ ସମସ୍ୟା ଥିଲା। ସେ ଗାଙ୍ଗୁଲିଙ୍କ ବିଷୟରେ ମଧ୍ୟ ଅନେକ କଥା କହିଥିଲେ ଏବଂ କହିଥିଲେ ଯେ ସେ ତାଙ୍କ ସୁପାରିଶ ବ୍ୟବହାର କରି ବୋର୍ଡକୁ ଆସିଛନ୍ତି ବୋଲି ଗମ୍ଭୀର କହିଥିବା ସେ ଅଭିଯୋଗ କରିଛନ୍ତି।