ରୋଷେଇ ବେଳେ ଲିକ୍‌ ହେଲା ଗ୍ୟାସ : ଜଳିଗଲା  ଝିଅ ବାହାଘର ପାଇଁ ରଖିଥିବା ଟଙ୍କା, ଗହଣା

କୃଷ୍ଣପ୍ରସାଦ,୧୨।୯(କୈଳାଶଚନ୍ଦ୍ର ପଟନାୟକ): ପୁରୀଜିଲା କୃଷ୍ଣପ୍ରସାଦ ବ୍ଲକ ବଡ଼ ଖଟିଆକୁଦିରେ ଗ୍ୟାସ ଲିକ୍‌ ହୋଇ ୩ ବଖରା ଘର ଜଳିଯାଇଛି।
ସୂଚନା ମୁତାବକ,  ଦିନ ପ୍ରାୟ ୩ଟା ସମୟରେ ରୋଷେଇ କରୁଥିବା ବେଳେ ହଠାତ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ ହୋଇ ନିଆଁ ଲାଗିଥିଲା। ଦେଖୁ ଦେଖୁ ଘର, ଚାଳ ଆସବାବପତ୍ରକୁ ନିଆଁ ବ୍ୟାପିଥିଲା। ମାୟାଧର ତରେଇଙ୍କ ୩ ବଖରା ଘର ଦେଖୁ ଦେଖୁ ଧ୍ୱଂସ ହୋଇଗଲା।
ଖବରପାଇ ମାଲୁଦରୁ ଅଗ୍ନିଶମ ବାହିନୀ ପହଞ୍ଚିି ଫାୟାର ଅଧିକାରୀ ପ୍ରଦୀପ ବେହେରାଙ୍କ ନେତୃତ୍ୱରେ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିଶମ ବାହିନୀଘଟଣାସ୍ଥଳରେ ପହଞ୍ଚିବା ପରେ ଗ୍ରାମର ଅନ୍ୟ ଘର ସୁରକ୍ଷିତ ହୋଇଥିଲା। ଘରେ ଥିବା ଟିଭି, ଫ୍ରୀଜ଼, ଆସବାବପତ୍ର, କଂସା, ବାସନ, ଲୁଗାପଟା, ବର୍ଷକ ଖାଦ୍ୟ ପଦାର୍ଥ ପୋଡି ପାଉଁଶ ହୋଇ ଯାଇଛି।
ଅନ୍ୟପକ୍ଷେ ଝିଅ ବାହାଘର ପାଇଁ ରଖିଥିବା ସମସ୍ତ ଅଳଙ୍କାର, ଟଙ୍କା, ଆଦି ସାମଗ୍ରୀ ପୋଡି ପାଉଁଶ ହୋଇ ଯାଇଛି।
ଖବରପାଇ କୃଷ୍ଣପ୍ରସାଦ ଆରଆଇ ଦିଲୀପ କିଷାନ, ତହସିଲଦାର ବିକାଶ ସେଠୀ, ସରପଞ୍ଚ ବୀଣାପାଣି ପ୍ରଧାନ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଗୃହଶୂନ୍ୟ ପରିବାରକୁ ଗୃହ, ଖାଦ୍ୟ, ବସ୍ତ୍ର ସହ କ୍ଷତି ପୁରଣ ଯୋଗାଇ ଦେବାକୁ ଦାବି ଦେଉଛି।

Share