ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍ ସିଲିଣ୍ଡର୍କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ ଘରୋଇ ଗ୍ୟାସ୍ ସିଲିଣ୍ଡର୍ ଅଭାବ ଦେଖିବାକୁ ମିଳିଛି। ଯାହାର ପ୍ରଭାବ ଗଜପତି ଜିଲାରେ ମଧ୍ୟ ସିଲିଣ୍ଡରର ଅଭାବ ଦେଖାଦେଇଛି। ଫଳରେ ଗଜପତି ଜିଲା ପ୍ରଶାସନ ପକ୍ଷରୁ ଘନଘନ ଚଢ଼ାଉ ଜାରି ରହିଛି। ଆଜି ମୋହନାରେ ଏକ ଗାଡ଼ିରେ ଏକ ଏଜେନ୍ସି ପକ୍ଷରୁ ବେଆଇନ ଭାବେ ବିକ୍ରି କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଉପଜିଲାପାଳ ଅନୁପ କୁମାର ପଣ୍ଡା ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଗ୍ୟାସ ସିଲିଣ୍ଡର୍ ଓ ଗାଡ଼ିର କୌଣସି ପ୍ରମାଣପତ୍ର ଦେଖାଇ ପାରି ନ ଥିଲେ। ଯାହା ଫଳରେ ଚଢ଼ାଉ କରି ଗାଡ଼ି ସହ ୪୮ଟି ଗ୍ୟାସ୍ ସିଲିଣ୍ଡର୍ ଜବତ କରାଯାଇଛି। ସେଥିମଧ୍ୟରୁ ୨୬ଟି ଭରି ହୋଇଥିବା ଗ୍ୟାସ୍ ସିଲିଣ୍ଡର୍ ଓ ୨୮ଟି ଖାଲି ଗ୍ୟାସ୍ ସିଲିଣ୍ଡର୍ ରହିଥିଲା। କିଛି ଦିନ ମଧ୍ୟରେ ଜିଲାର ବିଭିନ୍ନ ଜାଗାରେ ଚଢ଼ାଉ କରି ୧୯ଟି ମାମଲା ରୁଜୁ ହୋଇଥିବା ବେଳେ ୧୮୨ଟି ଗ୍ୟାସ୍ ସିଲିଣ୍ଡର୍ ଜବତ କରାଯାଇଥିବା ବେଳେ ଆଗକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ ବୋଲି ଉପଜିଲାପାଳ ଅନୁପ କୁମାର ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।