ଧର୍ମଶାଳା,୨୬।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ବଉଳମାଳ ପଞ୍ଚାଯତର ବରମୁଣ୍ଡୁଲି ଗ୍ରାମରେ ସୋମବାର ଏକ ଅଘଟଣ ଘଟିଛି। ଗ୍ରାମର ଚାନ୍ଦିଆ ମଳିକଙ୍କ ରୋଷେଇ ଘରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଘର ସମ୍ପୂର୍ଣ୍ଣ ଜଳି ଯାଇଛି।
ମିଳିଥିବା ସୂଚନା ମୁତାବକ, ସୋମବାର ରାତିରେ ଘରେ ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ସିଲିଣ୍ଡର ଫାଟି ବସ୍ଫୋରଣ ଘଟିଥିଲା। ଫଳରେ ରୋଷେଇ ଘର ସମେତ ୩ ବଖରା ଘର ଏବଂ ଗାଈ ଗୁହାଳ ପୋଡି ଜଳି ଯାଇଛି। ଗୁହାଳ ମଧ୍ୟରେ ଥିବା ୪ଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ସୂଚନା ମିଳିଛି। ଖବର ପାଇ ଚଢ଼େଇଧରା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।


