ଧର୍ମଶାଳା,୨୦।୯(ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲାର ଜାରକା ବଜାରରେ ଦିନକୁ ଦିନ ଅପରିଷ୍କାର ପରିବେଶ ସୃଷ୍ଟି ହେଉଛି। ରାସ୍ତାପାଶର୍ବରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ପଡୁଥିବାରୁ ଏହା ପଚିସଢ଼ି ଦୃଗନ୍ଧ ପରିବେଶ ସୃଷ୍ଟି କରୁଛି। ଜିଲାର ପ୍ରମୁଖ ବଜାର ମଧ୍ୟରେ ଜାରକା ଅଞ୍ଚଳ ବେଶ ପରିଚିତ। ସରକାରୀ କାର୍ଯ୍ୟଳୟଠାରୁ ଆରମ୍ଭ କରି ବ୍ୟାଙ୍କ, ସ୍କୁଲ ଓ ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ଏଠାରେ ଗଢି ଉଠିଛି। ଦୈନଦିନ ହଜାର ହଜାର ଲୋକଙ୍କ ଗମନାଗମନ ଦେଖିବାକୁ ମିଳିଥାଏ। କିନ୍ତୁ କିଛି ବ୍ୟବସାୟଙ୍କ ଦୈରାତ୍ମ ମନୋଭାବ ଏବଂ ପ୍ରଶାସନିକ ସ୍ତରରେ କଟକଣା ଅଭାବରୁ ଜାରକା ଅଞ୍ଚଳରେ ଅପରିଷ୍କାର ପରିବେଶ ବଢ଼ିବାରେ ଲାଗିଛି।
୧୬ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ୱ ସର୍ଭିସ ରୋଡରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ଗଦା ହୋଇଛି। ସେହିପରି ପୁରୁଣା ଓ ନୂଆ ଗଳି ପୋଲ ନିକଟରେ ଥିବା ରାସ୍ତାର ପାର୍ଶ୍ୱରେ ଥିବା ପିଣ୍ଡିରେ କିଛି ଫଳ ବ୍ୟବସାୟୀ ବେପାର ଶେଷ ପରେ କଦଳୀ କାନ୍ଦି, ପଚି ନଷ୍ଟ ହୋଇ ଯାଇଥିବା ଫଳ ଓ ଅଦରକାରୀ ଜିନିଷ ପକାଉଥିବା ଦେଖିବାକୁ ମିଳୁଛି। ଯାହା ଫଳରେ ତାହା ପଚି ନଷ୍ଟ ହୋଇ ଦୁର୍ଗନ୍ଧ ସୃଷ୍ଟି କରୁଛି। ଏହା ସହ ସ୍ଥାନୀୟ ବ୍ୟବସାୟୀଙ୍କ ଅଦରକାରୀ ଜିନିଷ ପତ୍ର ପକାଉ ଥିବାରୁ ରାସ୍ତାପାର୍ଶ୍ୱରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ଗଦା ହୋଇ ପଡ଼ି ରହିଛି। କିଛି ବ୍ୟକ୍ତି ମାନେ ମଧ୍ୟ ପାର୍ଶ୍ୱରେ ଛିଡ଼ା ହେଇ ପରିଶ୍ରା କରୁଛନ୍ତି, ଯାହା ଗୋଡି ରାସ୍ତା ଉପରକୁ ମଧ୍ୟ ଆସିଯାଉଛି। ତେଣୁ ଦୈନଦିନ ବିଭିନ୍ନ ଅଞ୍ଚଳରୁ ଲୋକଙ୍କ ଭିଡ଼ ଜମୁଥିବା ବେଳେ ଏହି ରାସ୍ତା ଉପରେ ଯାତାୟତ କରୁଥିବା ବ୍ୟକ୍ତି ବିଶେଷମାନେ ଏଭଳି ପରେବଶକୁ ନାପସନ୍ଦ କରିଛନ୍ତି। ଏହା ଉପରେ ପ୍ରଶାସନିକ ସ୍ତରରେ ଦୃଷ୍ଟି ଦେବା ସହ ଅସାଧୁ ବ୍ୟକ୍ତି ଓ ବ୍ୟବସାୟୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି।


