ଲାଞ୍ଜିଗଡ଼,୧୧ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ବିଜେପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ମହିଳା (୩୭)ଙ୍କୁ ବଳାତ୍କାର ଅଭିଯୋଗ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି ଲାଞ୍ଜିଗଡ ପୋଲିସ। ଅଭିଯୁକ୍ତ ଜଣକ ଲାଞ୍ଜିଗଡ଼ ବ୍ଳକ ପାହାଡ଼ ପଦର ପଞ୍ଚାୟତ କାଞ୍ଚନମୁଖି ଗାଁର ମାନ ମାଝୀ (୩୮)।
ସୂଚନାନୁସାରେ ଅଭିଯୁକ୍ତ ମାନ ମାଝୀ ଉକ୍ତ ଗାଁର ଗାଁସାଥୀ ରହି ମନରେଗା କାମ ଦେଖାରେଖା କରୁଥିବା ବେଳେ ପୀଡ଼ିତା ମହିଳା ମଧ୍ୟ ସେହି ମନରେଗା କାମ କରି ଆସୁଥିଲେ l ଗତ ବୁଧବାର ମହିଳାଙ୍କ ଜମା ବହିରେ ମନରେଗା ଟଙ୍କା ଜମା ହୋଇଛି କହି ଟଙ୍କା ଉଠାଇବା ପାଇଁ ନିଜ ବାଇକ ଯୋଗେ ମହିଳାଙ୍କୁ ନିକଟସ୍ଥ ବ୍ୟାଙ୍କକୁ ନେଇଥିଲେ l ବ୍ୟାଙ୍କରେ ଜମା ଖାତା ଯାଞ୍ଚ କଲା ପରେ ଜମାଖାତାରେ କୌଣସି ଟଙ୍କା ପଡ଼ି ନ ଥିବାରୁ ବ୍ୟାଙ୍କଠାରୁ ପାନପଦର ପୁଞ୍ଜାମ ରାସ୍ତା ଦେଇ ଘରକୁ ଫେରିବା ସମୟରେ ଅଧବାଟ ପୁଞ୍ଜାମ ଜଙ୍ଗଲରେ ମିଠା ଓ ପାଣି ପିଇବା ବାହାନା କରି ବାଇକ୍ ଅଟକାଇ ବଳପୂର୍ବକ ଉଠାଇ ନେଇ ବଳାତ୍କାର ସହିତ ଏହିକଥା କାହାକୁ କହିଲେ ଜୀବନରେ ମାରିଦେବି ବୋଲି ଧମକ ଚମକ ଦେଇଥିବା ଅଭିଯୋଗ ଆଣିଥିଲେ ମହିଳା l ମହିଳା ଜଣକ ପ୍ରାଣ ବିକଳରେ କୌଶଳ କ୍ରମେ ସେଠାରୁ ପୁଞ୍ଜାମ ଗାଁକୁ ଆସି ସମ୍ପର୍କୀୟଙ୍କ ସାହାଯ୍ୟରେ ଘରକୁ ଆସିଥିଲେ। ଏନେଇ ମହିଳା ଜଣଙ୍କ ନ୍ୟାୟ ପାଇଁ ବିଜେପୁର ଥାନାର ଦ୍ବାରସ୍ଥ ହୋଇ ଶୁକ୍ରବାର ଏକ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୋଗର ୪ଦିନ ପରେ ବି ପୋଲିସ ପକ୍ଷରୁ କୌଣସି ତଦନ୍ତ ହୋଇ ନ ଥିବା ପୀଡ଼ିତା ଅଭିଯୋଗ ଆଣିଥିଲେ। ତେବେ ଦୋଷୀଙ୍କୁ ଉଚିତ ଦଣ୍ଡ ଦିଆ ନ ଗଲେ ଆତ୍ମହତ୍ୟା କରିବି ବୋଲି ଚେତାବନୀ ଦେଇଥିଲେ ପୀଡ଼ିତା। ଏନେଇ ବିଜେପୁର ଥାନା ଅଧିକାରୀ ନିଳାମ୍ବର ଯାନୀଙ୍କୁ ପଚାରିବାରୁ ମୁଁ ଛୁଟିରେ ରହିଥିବା ପ୍ରକାଶ କରିଥିଲେ I ଏସ୍ଆଇ ଶ୍ୟାମ କୁଲସିକାଙ୍କୁ ପଚାରିବାରୁ ଆମ ବିଜେପୁର ଥାନା ଅଧିକାରୀ ଅନୁପସ୍ଥିତ ଯୋଗୁ ଲାଞ୍ଜିଗଡ଼ ଥାନା ଅଧିକାରୀ ବିଜେପୁର ଥାନା ଦାୟିତ୍ୱରେ ଅଛନ୍ତି। କେସ୍ ରୁଜୁ ହୋଇ ପାରିନାହିଁ। ମଙ୍ଗଳବାର ତଦନ୍ତ କରିସାରିଲା ପରେ କେସ୍ ରୁଜୁ ହେବ ବୋଲି ପ୍ରକାଶ କରିଥିଲେ। ମଙ୍ଗଳବାର ଲାଞ୍ଜିଗଡ ଥାନାଧିକାରୀଙ୍କ ନେତୃତ୍ୱରେ ପୋଲିସ କାଞ୍ଚନ ମୁଖି ଗାଁକୁ ଯାଇ ଅଭିଯୁକ୍ତକୁ ଗିରଫ କରି ଥାନାକୁ ଆଣି ପଚରାଉଚରା କରିଥିଲେ I ଏନେଇ ବିଜେପୁର ଥାନା କେସ୍ ନଂ ୩୯/୨୫ ରେ ଏକ ମାମଲା ରୁଜୁ କରି ବୁଧବାର ଉଭୟଙ୍କୁ ଡାକ୍ତର ମାଇନା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ବିଜେପୁର ଥାନା ଦାୟିତ୍ୱରେ ଥିବା ଲାଞ୍ଜିଗଡ଼ ଥାନାଧିକାରୀ ଯଶୋବନ୍ତ ହିଆଲ ପ୍ରକାଶ କରିଥିଲେ।