ଗଞ୍ଜାମ,୨୫।୮(ବିଦ୍ୟାଧର ସାହୁ ): ଗଞ୍ଜାମ ପୋଲିସ ଏକ ଗୁରୁତର ଜମି ଜାଲିଆତି ଓ ବିକ୍ରି ମାମଲାର ଫର୍ଦ୍ଦାଫାଶ କରିଛି। ପୋଲିସ ପ୍ରାଥମିକ ତଦନ୍ତରେ ତିନିଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମନୋଜ କୁମାର ଗୌଡ଼ (୩୦), ଦିଲୀପ ମାଳି (୫୧) ଓ ଦଣ୍ଡପାଣି ବେହେରା (୭୮)। ସେମାନଙ୍କଠାରୁ ନକଲି ଆଧାର କାର୍ଡ ଓ ବ୍ୟାଙ୍କ ପାସ ବୁକ୍ ପୋଲିସ ଜବତ କରିଥିବା ଜଣାପଡିଛି। ଅଭିଯୋଗ ଅନୁସାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ନକଲି ମାଲିକ ସହ ଦୁଇଜଣ ଦଲାଲ ରହିଛନ୍ତି। ସେମାନେ ମୃତ୍ୟୁ ଲୋକଙ୍କୁ ଜୀବିତ କରାଇ ଜମି ବିକ୍ରି କରିଥିବା ଅଭିଯୋଗରେ ବନ୍ଧା ହୋଇଥିବା ଥାନା ଏସଆଇ ଅନିରୁଦ୍ଧ ସ୍ବାଇଁ ସୂଚନା ଦେଇଛନ୍ତି । ଏତଲାରୁ ମିଳିଥିବା ତଥ୍ୟ ଅନୁଯାୟୀ, ହଳଦିଆ ପଦର ବାସିନ୍ଦା ଦଣ୍ଡପାଣି ବେହେରାଙ୍କ ଗତ ୨୦୦୪ରେ ମୃତ୍ୟୁବରଣ କରିଥିଲେ। ମୃତ ଦଣ୍ଡପାଣିଙ୍କ ନାମରେ ମଲାଡ଼ ପଞ୍ଚାୟତରେ ଦୁଇ ଏକର ୬୪୨ ଡେସିମେଲ ଜମି ରହିଥିଲା। ପରିବାର ପ୍ରାୟ ସଦସ୍ୟମାନେ ବାହାରେ ସ୍ଥାୟୀ ଭାବରେ ଥିବାରୁ, ସେହି ଜମି ବିଷୟରେ ଗୁରୁତ୍ୱ ଦେଉନଥିଲେ। ସେହି ସୁଯୋଗର ଫାଇଦା ଉଠାଇ କିଛି ବ୍ୟକ୍ତିମାନେ ଦଲାଲ ସାଜି ଜାଲିଆତି ଭାବେ ଜମି ବିକ୍ରି କରିଥିବା ମଣ୍ଡି ଆବେଦନ କରିବା ପାଇଁ ସିସ୍ତୁ ରସିଦ ସମୟରେ ଜାଣିବାକୁ ପାଇଥିଲେ ଦଣ୍ଡପାଣିଙ୍କ ପୁଅ ମାନସ। ଏନେଇ ଅଗଷ୍ଟ ୨୦ରେ ମାନସ ବେହେରା ଗଞ୍ଜାମ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ଅଧାରରେ କେସ ନଂ. ୨୭୦/୨୦୨୫ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଗଞ୍ଜାମ ଥାନା ପୋଲିସ। ଥାନା ଆଇଆଇସି ଦାୟିତ୍ୱରେ ଥିବା ଶ୍ରଦ୍ଧାଞ୍ଜଳି ସୁବୁଦ୍ଧିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ଖୋଳତାଡ଼। ରିପୋର୍ଟ ଅନୁସାରେ ୨୦୨୪ରେ, ଅଭିଯୁକ୍ତମାନେ ନକଲି ଆଧାର କାର୍ଡ ବ୍ୟବହାର କରି ୭୮ ବର୍ଷୀୟ ଦଣ୍ଡପାଣି ବେହେରାଙ୍କ ପରିଚୟ ଦେଇ ସ୍ଥାନୀୟ ବ୍ୟକ୍ତି ଡି ବିକାଶଙ୍କୁ ଜମି ବିକ୍ରି କରିଥିଲେ। ୨୦୨୪ ସେପ୍ଟେମ୍ବର ୧ରେ ଗଞ୍ଜାମ ସବ-ରେଜିଷ୍ଟ୍ରାର ଅଫିସରେ ଏହି ଜମିର ରେଜିଷ୍ଟ୍ରି ହୋଇଥିଲା। ଅଧିକା ଟଙ୍କା ଥିବା ଜମିକୁ କମ ଟଙ୍କାରେ ମିଳୁଥିବାରୁ ଜମି କିଣା ଯାଇଥିଲା। ଉକ୍ତ ଘଟଣାରେ ମୋଟ ୧୫ ଲକ୍ଷ ଟଙ୍କା କାରବାର ହୋଇଥିବା ପୋଲିସ ସ୍ପଷ୍ଟ କରିଛି,ଯାହାର ୧.୫ ଲକ୍ଷ ଟଙ୍କା ଦଣ୍ଡପାଣିଙ୍କୁ ଦିଆଯାଇଥିଲା ଏବଂ ୧୩.୫ ଲକ୍ଷ ଟଙ୍କା ଦୁଇ ଦଲାଲଙ୍କ ମଧ୍ୟରେ ବଣ୍ଟା ହୋଇଥିଲା। ଅଭିଯୁକ୍ତମାନେ ଜାଲିଆତି କରିଥିବା ସ୍ବୀକାର କରିଛନ୍ତି। ଏଥିସହ ପୋଲିସ କହିଛି, ପ୍ରାଥମିକ ତଦନ୍ତ ଚାଲୁ ଥିବାବେଳେ ତଦନ୍ତ ଶେଷ ହେଲାପରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ସ୍ପଷ୍ଟ ହେବ। ଏହି ଘଟଣାରେ ଗିରଫ ସଂଖ୍ୟା ବଢିବାର ସମ୍ଭାବନା ରହିଛି ।