ବୟଫ୍ରେଣ୍ଡଙ୍କ ସହ ଗୁପ୍‌ଚୁପ୍‌ ଖାଇବାକୁ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଫେରିବା ବେଳେ ଗଣବଳାତ୍କାର

ଜଳେଶ୍ୱର,୧୧ା୧୦(ନବୀନ ସାହୁ): ପଶ୍ଚିମବଙ୍ଗରେ ଆରଜି କର୍‌ ମେଡିକାଲ କଲେଜ ଘଟଣାର ହୋଇଛି ପୁନରାବୃତ୍ତି। ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜରେ ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ହୋଇଛି ଗଣବଳାତ୍କାର। ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ନଚ୍ଚିମପୁର ଅଞ୍ଚଳର ବୋଲି ସୂଚନା ମିଳିଛି। ତେବେ ଗୁରୁତର ଅବସ୍ଥାରେ ପୀଡ଼ିତା ମେଡିକାଲ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଚିକିତ୍ସା ଚାଲିଛି। ଘଟଣାସ୍ଥଳରେ ଦୁର୍ଗାପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜାତୀୟ ମହିଳା କମିଶନ ଟିମ୍‌ ବି ଘଟଣାସ୍ଥଳ ଅଭିମୁଖେ ଯାଉଥିବା ସୂଚନା ମିଳିଛି।
ଗଣମାଧ୍ୟମ ସୂତ୍ର ଅନୁଯାୟୀ, ଡାକ୍ତରୀ ଛାତ୍ରୀ ଜଣଙ୍କ ତାଙ୍କ ବୟଫ୍ରେଣ୍ଡ ବା ପୁରୁଷବନ୍ଧୁଙ୍କ ସହ ଶୁକ୍ରବାର ରାତିରେ କ୍ୟାମ୍ପସ୍‌ ବାହାରକୁ ଗୁପ୍‌ଚୁପ୍‌ ଖାଇବା ପାଇଁ ଯାଇଥିଲେ। କଲେଜ ଗେଟ୍‌ ନିକଟରେ ୪ ରୁ ୫ ଜଣ ଅଜ୍ଞାତ ଲୋକ ତାଙ୍କୁ ଛକି ରହିଥିଲେ। ସେ ମେଡିକାଲକୁ ଫେରିବା ସମୟରେ ଟାଣିନେଇ ହସ୍ପିଟାଲ ପଛପଟେ ଏକ ଶୂନଶାନ୍‌ ସ୍ଥାନରେ ଗଣବଳାତ୍କାର କରିଥିଲେ। ପୀଡ଼ିତା ଛାତ୍ରୀଙ୍କୁ ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଚିକିତ୍ସା ଚାଲିଛି। ଏହି ଘଟଣାରେ ଏବେ ଦୁର୍ଗାପୁର ପୋଲିସ ତଦନ୍ତ ଆରମ୍ଭ କରିଛି। ଛାତ୍ରୀଙ୍କ ପୁରୁଷବନ୍ଧୁଙ୍କୁ ପଚରାଉଚରା କରାଯାଉଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି।

ଅପରପକ୍ଷରେ ମେଡିକାଲ କଲେଜର ସୁରକ୍ଷା ବ୍ୟବସ୍ଥା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାତି ୮ଟା ପରେ ହଷ୍ଟେଲ ଛାତ୍ରୀଙ୍କୁ କ୍ୟାମ୍ପସ ବାହାରକୁ ଯିବାକୁ ଅନୁମତି ନ ଥିବା ବେଳେ ଛାତ୍ରୀ ଜଣଙ୍କ କିପରି ବାହାରକୁ ଗଲେ ତାହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପୀଡ଼ିତାଙ୍କ ପରିବାର ଲୋକେ ମେଡିକାଲ କଲେଜରେ ପହଞ୍ଚିଛନ୍ତି। ପୀଡ଼ିତାଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

Dharitri – The Largest & Most Trusted Odia Daily

Share