ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ: କ୍ରାଇମ୍‌ ସ୍ପଟରେ କ୍ରାଇମବ୍ରାଞ୍ଚ ଟିମ, ୧୦ ଜଣଙ୍କ ନିଆଗଲା …

ଭୁବନେଶ୍ୱର,୧୯।୬: ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲାରେ ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାର ବିଭିନ୍ନ ଦିଗକୁ ନେଇ କ୍ରାଇମବ୍ରାଞ୍ଚର ତନାଘନା ଆରମ୍ଭ କରିଛି। ତେବେ ଗୁରୁବାର ପୀଡ଼ିତାଙ୍କ ବୟାନ ରେକର୍ଡ  କରାଯିବା ନେଇ ସୂଚନା ମିଳିଛି।
ଅନ୍ୟପକ୍ଷେ, ୧୦ ଜଣ ଅଭିଯୁକ୍ତଙ୍କ DNA ନିଆଯାଇଛି। ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ CAWର ପଚରାଉଚରା ଜାରି ରଖିଛି।
ଅଭିଯୋଗ ଅନୁଯାୟୀ, ବ୍ରହ୍ମପୁର ଅଞ୍ଚଳର ଏକ ସରକାରୀ ମହାବିଦ୍ୟାଳୟରେ ପଢ଼ୁଥିବା ଅନ୍ୟ ଏକ ଜିଲାର ଛାତ୍ରୀ ରବିବାର ସନ୍ଧ୍ୟାରେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମି ବୁଲିବାକୁ ଆସିଥିଲେ। ଉଭୟେ ଏକ ନିଛାଟିଆ ସ୍ଥାନରେ ବସିଥିଲେ। ସନ୍ଧ୍ୟା ପ୍ରାୟ ୭ଟାରେ ୩ଟି ବାଇକ୍‌ରେ ୧୦ଜଣ ଯୁବକ ସେଠାରେ ପହଞ୍ଚତ୍ ପ୍ରଥମେ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ମାଡ଼ ମାରିିଥିଲେ। କେତେଜଣ ତାଙ୍କୁ ଅଟକାଇ ରଖିଥିବା ବେଳେ ଆଉ କେତେଜଣ ଯୁବକ ଛାତ୍ରୀଙ୍କୁ ସେଠାରୁ ଉଠାଇ ନେଇ ଗଣବଳାତ୍କାର କରିଥିଲେ। ପରେ ପୁରୁଷ ବନ୍ଧୁଙ୍କଠାରୁ ଫୋନ ପେ’ ମାଧ୍ୟମରେ କିଛି ଟଙ୍କା ନେଇ ବିଭିନ୍ନ ଧମକ ଦେଇ ଚାଲି ଯାଇଥିଲେ। ଏ ନେଇ ପୀଡ଼ିତା ଛାତ୍ରୀ ଓ ପୁରୁଷ ବନ୍ଧୁ ଗୋପାଳପୁର ଥାନାରେ ଜଣାଇଥିଲେ। ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ପିଛା କରିଥିଲା। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୦ ଯୁବକଙ୍କୁ ଉଠାଇ ନେଇଛି। ସେମାନେ ଏକ କଲେଜର ଛାତ୍ର ବୋଲି ଜଣାପଡିଛି।