ନୀଳଗିରି,୨୭ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): ଉତ୍ସବମୁଖର ଥିଲା ସ୍କୁଲ ପରିସର। ସାଙ୍ଗସାଥୀରେ ପିଲାମାନଙ୍କ ସାଥୀରେ ଗୀତର ତାଳେତାଳେ ନାଚୁଥିଲେ ନବମଶ୍ରେଣୀରେ ଛାତ୍ର ପ୍ରିୟାଂଶୁ। ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତଳେ ପଡ଼ିଯାଇଥିଲେ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଦଉଡ଼ି ଆସିଥିଲେ। ମାତ୍ର ସେହିଠାରେ ଛାତ୍ରଟିର ପ୍ରାଣବାୟୁ ଉଡ଼ିଯାଇଥିଲା। ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୀଳଗିରି ବ୍ଲକ ସିଆଡ଼ିମାଳ ପଞ୍ଚାୟତ ସିଆଡିମାଳ ଗ୍ରାମରେ। ଗ୍ରାମର ଲକ୍ଷ୍ମୀନାରାୟଣ ଦାସବାବୁଙ୍କ ୧୫ବର୍ଷୀୟ ପୁଅ ପ୍ରିୟାଂଶୁ ପ୍ରୀତମ ନିକଟସ୍ଥ ଜଡ଼ିଦା ରାଧାମାଧବ ଜୀଉ ହାଇସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ଆଜି ଗଣେଶ ଚତୁର୍ଥୀ ଅବସରରେ ଘରୁ ଗାଧୋଇପାଧୋଇ ଗଜାନନଙ୍କ ପୂଜାରେ ସାମିଲ ହୋଇଥିଲେ। ପୂଜାସାରି ସାଙ୍ଗସାଥୀଙ୍କ ସହିତ ଖେଳୁଥିବା ବେଳେ ହଠାତ୍ ଗଣେଶଙ୍କ ବିଗ୍ରହ ସମ୍ମୁଖରେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ସାଙ୍ଗସାଥୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପରିବାର ଲୋକେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଛନ୍ତି। ବାପା ଲକ୍ଷ୍ମୀନାରାୟଣ ଏବଂ ମାଆ ମାଳତୀ ଦାସବାବୁଙ୍କର ଦୁଇ ପୁଅ ମଧ୍ୟରୁ ପ୍ରିୟାଂଶୁ ବଡ଼ପୁଅ ଥିଲେ। ଏଭଳି ଦୁଃଖଦ ଘଟଣା ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।