କଟକ ସହର ପାଇଁ ଗଣେଶ ପୂଜା ଗାଇଡଲାଇନ୍‌

କଟକ ଅଫିସ,୩୧।୮: ସିଏମ୍‌ସି ପକ୍ଷରୁ ମଙ୍ଗଳବାର କଟକ ସହର ପାଇଁ ଗଣେଶ ପୂଜା ଗାଇଡଲାଇନ୍‌ ଜାରି କରାଯାଇଛି। ତଦନୁଯାୟୀ, ମଣ୍ଡପ ତଥା ପେଣ୍ଡାଲରେ ପୂଜା ଲାଗି ଡିସିପିଙ୍କଠାରୁ ଅନୁମତି ନେବାକୁ ହେବ। କେବଳ ପରମ୍ପରା ରକ୍ଷା ପାଇଁ ପୂଜା କରାଯିବ। ଲାଇଟ୍‌ ସାଜସଜ୍ଜା ଆଦି ବନ୍ଦ ରହିବ। ପୂଜା ମଣ୍ଡପର ତିନି ପାର୍ଶ୍ୱ ସମ୍ପୂର୍ଣ୍ଣ ବନ୍ଦ ରହିବାକୁ ଥିବା ବେଳେ ଚତୁର୍ଥ ପାର୍ଶ୍ୱ ଆଶିଂକ ଖୋଲା ରହିବ। ମଣ୍ଡପରେ ସାଧାରଣ ଦର୍ଶନ ବନ୍ଦ ରହିବା ସହ ମନୋରଞ୍ଜନ କାର୍ଯ୍ୟକ୍ରମ ହେବ ନାହିଁ। ପୂଜା ପାଇଁ କର୍ତ୍ତା, ପୁରୋହିତଙ୍କୁ ମିଶାଇ ୭ ଜଣଙ୍କୁ ଅନୁମତି ରହିଛି। ସେହିଭଳି ଶିକ୍ଷାନୁଷ୍ଠାନରେ ସମସ୍ତଙ୍କୁ ମିଶାଇ ସର୍ବାଧିକ ୨୦ଜଣ ରହିପାରିବେ। ବିସର୍ଜନ ଶୋଭାଯାତ୍ରା ହେବ ନାହିଁ, ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ। ପୂଜାରେ ସର୍ବସାଧାରଣ ଭୋଜି ଆୟୋଜନକୁ ସମ୍ପୂର୍ଣ୍ଣ ମନା କରାଯାଇଛି।