ବରଗଡ଼,୧୧ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ଜଙ୍ଗଲରୁ ପ୍ରଥମେ ଜିଲାରେ ମାଓବାଦୀ ସଂଗଠନ କାୟା ବିସ୍ତାର କରିଥିଲା। ଏହାପରେ ମାଓବାଦୀ କାର୍ଯ୍ୟକଳାପ ବଢ଼ି ଚାଲିଥିଲା। ମାଓବାଦୀ ହିଂସା ମଧ୍ୟ ବୃଦ୍ଧି ପାଇଥିଲା। ଠିକାଦାର କ୍ୟାମ୍ପ ଜଳାପୋଡ଼ାଠାରୁ ଆରମ୍ଭ କରି ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ କିଛିଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିବାବେଳେ ମାଓବାଦୀ-ପୋଲିସ୍ ଗୁଳି ବିନିମୟରେ ମାଓବାଦୀଙ୍କ ଜୀବନ ମଧ୍ୟ ଯାଇଥିବା ନଜିର ରହିଛି। ଏହାସତ୍ତ୍ୱେ ସେଠାରେ ମାଓବାଦୀଙ୍କ ଗତିବିଧି ଚାଲିଥିବା ନିରୀକ୍ଷଣ କରି ପୋଲିସ ମାଓବାଦୀଙ୍କ କ୍ୟାମ୍ପ ଠାବ କରିଥିବାବେଳେ କେତେକ ମାଓବାଦୀ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ତଥାପି ଗନ୍ଧମାର୍ଦ୍ଦନ ପାହାଡ଼, ଜଙ୍ଗଲରେ ବରଗଡ଼-ବଲାଙ୍ଗିର-ମହାସମୁଦ(ବିବିଏମ୍) ମାଓବାଦୀ ସଂଗଠନର ସଦସ୍ୟଙ୍କ ଗତିବିଧି ପରିଲକ୍ଷିତ ହେଉଥିବା ସାଧାରଣରେ ଆଲୋଚିତ ହେଉଛି। ତେବେ ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ଗନ୍ଧମାର୍ଦ୍ଦନକୁ ମାଓବାଦୀମୁକ୍ତ କରାଯିବା ପାଇଁ ସମସ୍ତ ରଣନୀତି ପ୍ରସ୍ତୁତ ହୋଇ ସାରିଛି ବୋଲି ବୁଧବାର ବରଗଡ଼ ଜିଲା ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ଏଡିଜି) ସଞ୍ଜୀବ ପଣ୍ଡା କହିଛନ୍ତି।
ଖବରଦାତା ସମ୍ମିଳନୀରେ ସୂଚନା ଦେଇ ସେ କହିଛନ୍ତି, ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟରେ ମାଓବାଦୀ ସମସ୍ୟାର ସମାଧାନ ପାଇଁ ଗୁରୁ ଦାୟିତ୍ୱ ରହିଛି। ଏହାକୁ ଗୁରୁତ୍ୱର ସହିତ ନେଇ ପୋଲିସ୍ କାମ କରୁଛି। ଇତିମଧ୍ୟରେ ରାଜ୍ୟର ବିଭିନ୍ନ ଜିଲାରେ ବିଶେଷ ସଫଳତା ମିଳିଛି। ବର୍ତ୍ତମାନ ମାଓବାଦୀଙ୍କ କାର୍ଯ୍ୟକଳାପ କେବଳ ୨ ଅଞ୍ଚଳ(ଏରିଆ)କୁ ନେଇ ସୀମିତ ରହିଛି। ଗୋଟିଏ ହେଉଛି କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡିର ତ୍ରିକୋଣୀୟ ସଂଯୋଗ ସ୍ଥଳ ଏବଂ ଦ୍ୱିତୀୟଟି ହେଉଛି ବରଗଡ଼ ଜିଲାର ଗନ୍ଧମାର୍ଦ୍ଦନ ପାହାଡ଼। ସେଠାରେ କିଛି ସଂଖ୍ୟକ ମାଓବାଦୀ ରହିଛନ୍ତି। ବିଗତ ଦିନରେ ଅନେକ ମାଓବଦୀ ଆତ୍ମସମର୍ପଣ କରିଛନ୍ତି। ଗତ ଡିସେମ୍ବର ମାସରେ ମାଓବାଦୀ ସଂଗଠନର ରାଜ୍ୟ ମୁଖ୍ୟ ତଥା କେନ୍ଦ୍ରୀୟ କମିଟି ସଦସ୍ୟଙ୍କ ମଧ୍ୟରେ ଗୁଳି ବିନିମୟରେ ମୃତ୍ୟୁ ହୋଇଛି। ଏହାପରେ ରାଜ୍ୟର ଅନେକ ଜିଲାରେ ସଫଳତା ମିଳିଛି। ଇତିମଧ୍ୟରେ କୋରାପୁଟ, ମାଲକାନଗିରି, ନବରଗଙ୍ଗପୁର, ନୂଆପଡ଼ା, ବୌଦ୍ଧ ଜିଲାରେ ମାଓବାଦୀ ଆଉ ନାହାନ୍ତି କହିଲେ ଚଳେ। ତେବେ ବର୍ତ୍ତମାନ ଯେହେତୁ କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡିର ତ୍ରିକୋଣୀୟ ସଂଯୋଗ ସ୍ଥଳ ଏବଂ ଦ୍ୱିତୀୟଟି ହେଉଛି ବରଗଡ଼ ଜିଲାର ଗନ୍ଧମାର୍ଦ୍ଦନ ପାହାଡ଼ରେ ମାଓବାଦୀ ରହିଥିବା ସୂଚନା ମିଳିଛି, ସମ୍ପୃକ୍ତ ଅଞ୍ଚଳକୁ ମାଓବଦୀମୁକ୍ତ କରିବା ପାଇଁ ରାଜ୍ୟ ପୋଲିସ୍ ସମସ୍ତ ସାମର୍ଥ୍ୟ ଉପଯୋଗ କରୁଥିବାବେଳେ ସମସ୍ତ ଅପରେଶନାଲ ଟିମ୍ ସହିତ ଇଣ୍ଟିଲେଜେନାନ୍ସ(ଗୋଇନ୍ଦା) ନେଟ୍ଓ୍ବର୍କ ମଧ୍ୟ ବଢ଼ାଇବୁ। ମାଓବାଦୀ ଦମନ ପାଇଁ ଅପରେଶନ ଆଗକୁ ଆହୁରି ଜୋରଦାର, ଶାଣିତ ହେବ। ସେହି ପରିପ୍ରେକ୍ଷୀରେ ବୁଧବାର ବରଗଡ଼ ଜିଲା ପୋଲିସ ମୁଖ୍ୟାଳୟରେ ସମୀକ୍ଷା ବୈଠକ ହୋଇଥିଲା ବୋଲି ଏଡିଜି ପଣ୍ଡା ସୂଚନା ଦେଇଥିଲେ।
ବୈଠକରେ ଆଇଜି ଅପରେଶନ ଦୀପକ କୁମାର, ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ଆଇଜି(ଏସଆଇଡବ୍ଲୁ) ଅଖିଳେଶ୍ୱର ସିଂ, ବରଗଡ଼ ଏସ୍ପିପି. ଏସ୍ ମୀନା, ବଲାଙ୍ଗୀର ଏସ୍ପି ଅଭିଳାଷ ଜୀ ପ୍ରମୁଖ ଉପସ୍ଥିତ ଥିଲେ। ଗନ୍ଧମାର୍ଦ୍ଦନ ପାହାଡ଼କୁ ମାଓବାଦୀମୁକ୍ତ କରିବା ପାଇଁ ରଣକୌଶଳ ହୋଇଛି। ଅଧିକ ସିଆରପିଏଫ୍, ଏସ୍ଓଜି ମୁତୟନ ହେବେ ଏବଂ ଇଣ୍ଟିଲେଜେନ୍ସ(ଗୋଇନ୍ଦା)କୁ ଆହୁରି ସୁଦୃଢ଼ ଓ ସକ୍ରିୟ କରାଯିବ ଏବଂ ଧାର୍ଯ୍ୟ ଲକ୍ଷ୍ୟ ତଥା ମାର୍ଚ୍ଚ ୩୧ ସୁଦ୍ଧା ଗନ୍ଧମାର୍ଦ୍ଦନରେ ସକ୍ରିୟ ରହିଥିବା ମାଓବାଦୀଙ୍କୁ ଗିରଫ କିମ୍ବା ନିପାତ କରାଯିବ ବୋଲି ଆଶା ରହିଛି ବୋଲି ଏଡିଜି ପଣ୍ଡା କହିଥିଲେ। ରାଜ୍ୟ ସରକାର ମାଓବାଦୀଙ୍କ ଆତ୍ମସମର୍ପଣ ପାଇଁ ବହୁତ ଭଲ ଯୋଜନା କରିଛନ୍ତି, ଏହି ଦୃଷ୍ଟିରୁ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଏଡିଜି ପଣ୍ଡା କହିଛନ୍ତି। ସେମାନେ ଆତ୍ମସମର୍ପଣ କଲେ ସରକାରଙ୍କ ପକ୍ଷରୁ କରାଯାଇଥିବା ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ମଧ୍ୟ ସେ କହିଥିଲେ।