ପାରଳାଖେମୁଣ୍ଡି,୧୩।୧୦(ଗିରିଧାରୀ ପରିଛା): ଗଜପତି ଜିଲାରେ ଜୁଆ ଆଡ୍ଡା ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାୟ ମୀନାଙ୍କ ନିର୍ଦ୍ଦେଶକ୍ରମେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ସହର ଉପକଣ୍ଠ ପଦ୍ମପୁର ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି। ତେବେ ପୋଲିସକୁ ଦେଖି କିଛି ଜୁଆଡ଼ି ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଛନ୍ତି।
ଏହି ଚଢ଼ାଉ ସମୟରେ ପୋଲିସ ନଗଦ ୬,୧୦୦ ଟଙ୍କା, ୪ଟି ମୋବାଇଲ ଫୋନ୍ ଏବଂ ୨ଟି ବାଇକ୍ ଜବତ କରିଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଉମା ଶ୍ରୀରାମ, ବିନୋଦ ପଲାକି, ନାଲନ ବେଣୁଗୋପାଳ, ସୁବାସ ଚନ୍ଦ୍ର ପଣ୍ଡା, ରାଇ ରହିମ ଏବଂ ଅମ୍ବାଲା ଚିରଞ୍ଜିବି।
ଘଟଣା ନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ କେସ୍ ନଂ ୪୨୭/୨୬ ରୁଜୁ କରାଯାଇଛି। ପୋଲିସ ଏହି ମାମଲାର ଅଧିକ ତଦନ୍ତ ଜାରି ରଖିବା ସହ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଖୋଳତାଡ଼ ଚଳାଇଛି।

