ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ନାମ ଓ ପରିଚୟର ଦୁର୍ୱ୍ୟବହାର କରୁଥିବା ଆପତ୍ତିଜନକ ଅନ୍ଲାଇନ କଣ୍ଟେଣ୍ଟ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗମ୍ଭୀରଙ୍କ ସହ ଜଡ଼ିତ ଆପତ୍ତିଜନକ ପୋଷ୍ଟ ଓ କଣ୍ଟେଣ୍ଟ ହଟାଇବା ସହିତ ଏଥିଲାଗି ଦାୟୀ ସଂସ୍ଥା ବା ବ୍ୟକ୍ତିର ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ ଜଷ୍ଟିସ ଜ୍ୟୋତି ସିଂ ନିର୍ଦ୍ଦେଶ ଦେଇଛନ୍ତି।
ଏକ ଇଂଲିଶ୍ ଗଣମାଧ୍ୟମ ରିପୋର୍ଟ ମୁତାବକ, ଦିଲ୍ଲୀ ହାଇକୋର୍ଟ ଗମ୍ଭୀରଙ୍କ ବ୍ୟକ୍ତିତ୍ୱ ଓ ପ୍ରଚାର ଅଧିକାରକୁ ସୁରକ୍ଷା ପ୍ରଦାନ କରିଛନ୍ତି। ଶୁଣାଣି ବେଳେ ଏଆଇ ଟୁଲ୍ସ ଓ ଡିପଫେକ୍ ଟେକ୍ନୋଲୋଜି ଜରିଆରେ ଗମ୍ଭୀରଙ୍କ ନାମ, ସ୍ୱର ଓ ଫଟୋଗ୍ରାଫ୍ସ ତାଙ୍କ ବିନା ଅନୁମତିରେ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ଗମ୍ଭୀରଙ୍କ ପକ୍ଷ ରଖୁଥିବା ଓକିଲ ପ୍ରକାଶ କରିଥିଲେ।

