ଭୁବନେଶ୍ୱର, ୧୭ା୪(ସୁନିତ୍ ମିଶ୍ର): ଓଡ଼ିଶାରେ ଏନ୍ଏଚ୍ଏଆଇର ଅନେକ ପ୍ରକଳ୍ପର ଶିଳାନ୍ୟାସ ଗୁରୁବାର କରାଯିବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ପ୍ରାୟ ୪ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ। ରୋଡ୍ କନେକ୍ଟିଭିଟିରେ ଓଡ଼ିଶା ନମ୍ବର ୧ ହେବ ବୋଲି ଭାଜପା ସରକାର ଘୋଷଣା କରିଥିଲେ। ସେହି କ୍ରମରେ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର-ପୁରୀ, ମେରାଇନ୍ ଡ୍ରାଇଭ୍ ଓ ପୁରୀ-ସାତପଡ଼ା ରୋଡ୍ ପ୍ରଶସ୍ତ ହେବ। ଖୁବ୍ଶୀଘ୍ର ଆରମ୍ଭ ହେବ ଉପକୂଳ ରାଜପଥ କାମ। ରାଜ୍ୟ ପାଇଁ ଏମିତି କିଛି କିଛି ବଡ଼ ବଡ଼ ପ୍ରକଳ୍ପ ନେଇ ମନ୍ତ୍ରୀ ଗଡକରୀ ଆସୁଛନ୍ତି। ଏହା ଭିତରେ ୨୯ଶହ ୫ କୋଟି ଟଙ୍କାର ୧୩ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ରହିଛି। ୪୨୭ କୋଟି ଟଙ୍କାର ୪ ସିଆର୍ଆଇଏଫ୍ ବ୍ରିଜ୍ର ଭିତ୍ତିପ୍ରସ୍ତର ସ୍ଥାପନ, ୮୪୧ କୋଟି ଟଙ୍କାରେ ୪୪ କି.ମି. ବିଶିଷ୍ଟ ୨ଟି ଜାତୀୟ ରାଜପଥକୁ ଗଡକରୀ ଉଦ୍ଘାଟନ କରିବେ। ସେହିପରି ୧୪୪ କୋଟି ବ୍ୟୟରେ ଟିଟିଲାଗଡ଼ ଏନ୍ଏଚ୍-୫୯ରେ ବାଇପାସ୍ ରୋଡ୍, ୧୭୨ କୋଟି ବ୍ୟୟରେ ଧର୍ମଗଡଠାରେ ଏନ୍ଏଚ୍-୧୩୦ରେ ବାଇପାସ୍ ପ୍ରକଳ୍ପ ମଧ୍ୟ ରହିଛି। ଏହାସହ ୪୨୬ କୋଟି ଟଙ୍କା ବ୍ୟୟରେ ୪ଟି ହାଇଲେଭଲ୍ ବ୍ରିଜ୍, ୨୭୩ କୋଟି ବ୍ୟୟରେ ବରଗଡ଼-ଝାରସୁଗୁଡ଼ା ରାସ୍ତାରେ ମହାନଦୀ ଉପରେ ହାଇ ଲେଭଲ୍ ବ୍ରିଜ, ରାଉରକେଲା-ଘୁନ୍ସର ରାସ୍ତାରେ ତେଲ ନଦୀଠାରେ, କଳାହାଣ୍ଡିର ଖଣିଡ଼ାଙ୍ଗିରିଗୁଡ଼ା-ବାଙ୍କପାଳ ରାସ୍ତାର ହାତୀ ନଦୀ ଉପରେ ଏବଂ କେଶିଙ୍ଗା ଏବଂ ଭବାନୀପାଟଣା ରାସ୍ତାର ତେଲ ନଦୀ ଉପରେ ବ୍ରିଜ ହେବ। ଏହାଛଡ଼ା ଗଡକରୀ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଓଡ଼ିଶା ପକ୍ଷରୁ ଚଳିତ ବର୍ଷ ୨୮ ହଜାର କୋଟିର ଅନୁଦାନ ଦାବି କରାଯାଇଛି।