ରାଜ୍ୟରେ ହାଡ଼ଭଙ୍ଗା ଶୀତ: ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରହିଛି…

ଜି.ଉଦୟଗିରି,୧୭ା୧୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ହାଡ଼ଭଙ୍ଗା ଶୀତରେ ଥରୁଛି ରାଜ୍ୟ। ଦିନକୁ ଦିନର ଶୀତର ପ୍ରକୋପ ବଢ଼ୁଥିବା ବେଳେ ଜି.ଉଦୟଗିରିରେ ଦୈନନ୍ଦିନ ପାରଦ ତଳମୁହାଁ ହେଉଛି। ଫଳରେ ଅଞ୍ଚଳବାସୀଙ୍କ ଜୀବନଜୀବିକା ପ୍ରଭାବିତ ହେଉଛି। ପ୍ରବଳ ଶୀତ ଯୋଗୁ ସକାଳ ୧୦ଟା ପର୍ଯ୍ୟନ୍ତ ଘରୁ ବାହାରି ହେଉନାହିଁ। କୁହୁଡ଼ି ଯୋଗୁ ରାସ୍ତାରେ ଯାତାୟାତ କରିବା ବି କଷ୍ଟକର ହୋଇପଡୁଛି। ଶୀତ ଦାଉରୁ ରକ୍ଷା ପାଇବାକୁ ସନ୍ଧ୍ୟା ପୂର୍ବରୁ ଲୋକେ ନିଆଁ ଲଗାଇ ବସୁଛନ୍ତି। ପ୍ରବଳ ଶୀତ ଯୋଗୁ ବ୍ୟବସାୟରେ ମଧ୍ୟ ପ୍ରଭାବ ପଡ଼ିଥିବା କହିଛନ୍ତି ସ୍ଥାନୀୟ ବ୍ୟବସାୟୀ।

ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ରବିବାର ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ଥିଲା ସୋମବାର ସକାଳୁ ୫.୪ ଡିଗ୍ରୀ ରେକର୍ଡ କରାଯାଇଛି। ଅସହ୍ୟ ଶୀତରେ ଦେହ ଥରି ଯାଉଥିବାବେଳେ ଅଞ୍ଚଳବାସୀଙ୍କ ପାଇଁ ଶୀତ ବସ୍ତ୍ର, ନିଆଁ ହିଁ ସାହା ଭରସା ବୋଲି ମତ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଅତ୍ୟଧିକ ଥଣ୍ଡା ହେଉଥିବାବେଳେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି। ପ୍ରତି ବର୍ଷ ଭଳି ଚଳିତବର୍ଷ ମଧ୍ୟ ଅତ୍ୟଧିକ ଥଣ୍ଡା ହେଉଥିବା ବେଳେ ତୁଷାରପାତ ଦେଖିବାକୁ ପର୍ଯ୍ୟଟକ ଆଶା ବାନ୍ଧି ଥିବା ନେଇ ବୁଦ୍ଧଜୀବୀ ମହଲରେ ଆଲୋଚନା ହେଉଛି। ଜି.ଉଦୟଗିରିରେ ଶୀତର ମଜା ନେବା ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ସହ ଅଞ୍ଚଳରେ ଇକୋ କଟେଜ ନିର୍ମାଣ ପାଇଁ ଦାବି ଜୋର୍‌ ଧରିଛି।

Dharitri – Odisha’s No.1 Trusted Odia Daily

Share