ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ: ଧରିତ୍ରୀରେ ଖବର ପ୍ରକାଶ ପରେ ସସ୍ମିତାଙ୍କ ମୁହଁରେ ଫୁଟିଲା ହସ

ଲାଞ୍ଜିଗଡ଼,୯।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ ଦୋରା ସାରଲି ଗାଁର ଶୁକନାଭଟା ପଡ଼ାର ସସ୍ମିତାଙ୍କ ଅଧିକ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିବା ଘଟଣା ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଏହି ଖବର ପ୍ରସାରଣ ପରେ ଜିଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଶଲ୍ୟ ଚିକିତ୍ସକ ଡା. ସୁନୀଲ କର ଦେବଦୂତ ଭାବେ ଆଗେଇ ଆସି ଚିକିତ୍ସା ଦାୟିତ୍ୱ ନିଜ ହାତକୁ ନେଇଛନ୍ତି।

ସୂଚନା ଅନୁଯାୟୀ, ସସ୍ମିତାଙ୍କ ପରିବାର କହିଲେ ମା’ ସେମନ୍ତି ସାହୁ ଓ ସ୍ବାମୀ ନରେନ୍ଦ୍ର ସାହୁଙ୍କୁ ବୁଝାଏ। ତିନି ପ୍ରାଣୀ କୁଲି,ମଜୁରି କରି ଚଳୁଥିବା ବେଳେ ହଠାତ୍‌ ସସ୍ମିତାଙ୍କ ଡାହାଣ ଗୋଡ଼ରେ ସାମାନ୍ୟ ଯନ୍ତ୍ରଣା ଆରମ୍ଭ ହୋଇ ମାରାତ୍ମକ ରୋଗରେ ପରିଣତ ହୋଇଥିଲା।ତ୍ସ୍ବାମୀ ନରେନ୍ଦ୍ର ସଞ୍ଚିତ ଅର୍ଥ, ସୁନା ଗହଣା ବିକ୍ରି କରି ଧାର କରଜ କରି ଭବାନୀପାଟଣା ଓ ଅନ୍ୟ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ମଧ୍ୟ ଅର୍ଥ ଅଭାବରୁ ଅଧିକ ଚିକିତ୍ସା କରାଇ ପାରି ନ ଥିଲେ। ଫଳରେ ଗତ ୬ ମାସ ଧରି ସସ୍ମିତା ବିଛଣାରେ ପଡ଼ି ହୋଇ ମରଣ ସହ ସଂଘର୍ଷ କରୁଥିଲେ। ଅର୍ଥ ଅଭାବରୁ ସ୍ବାମୀ ଦାଦନ ଖଟିବାକୁ ତାମିଲନାଡୁ ଯାଇଥିବା ବେଳେ ପରିବାରକୁ ସରକାରୀ ସୁବିଧା ଭାବେ କେବଳ ରାଶନକାର୍ଡରେ ୧୦ କେଜି ଚାଉଳ ମିଳୁଥିବା ବେଳେ ଓ ସ୍ବାସ୍ଥ୍ୟ କାର୍ଡ ନ ମିଳିବାରୁ ଚିକିତ୍ସାରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା।

ଖବର ପ୍ରକାଶ ପରେ ଲାଞ୍ଜିଗଡ଼ ପ୍ରେସ କ୍ଲବ ସଭାପତି ସୁଶୀଲ କୁମାର ବାଗଙ୍କ ତତ୍ୱାବଧାନରେ ଖବରଦାତା ତୁଳସୀରାମ ପ୍ରଧାନୀ, ଦିଲୀପ ନାୟକ, ମନୋଜ ଦୋରା ପ୍ରମୁଖ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଶ୍ରବାଗଙ୍କ ଅନୁରୋଧରେ ବେଦାନ୍ତ କର୍ତ୍ତୃପକ୍ଷ ଆମ୍ବୁଲାନ୍ସ ଯୋଗାଇ ଦେଇଥିଲେ। ଶନିବାର ସସ୍ମିତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟର ମହିଳା ଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇ ଡା. ସୁନୀଲ କରଙ୍କ ତତ୍ୱାବଧାନରେ ଚିକିତ୍ସା ଆରମ୍ଭ ହୋଇଛି। ଏହା ସହିତ ପାହାଡ଼ପଦର ସରପଞ୍ଚ ଲକ୍ଷ୍ମଣ ମାଝୀ ଓ ନାୟବ ସରପଞ୍ଚ ବୈଦ୍ୟନାଥ ନାୟକ କ୍ରାଉଡ଼ ଫଣ୍ଡିଂ ଜରିଆରେ ୧୦ ହଜାର ଟଙ୍କା ସଂଗ୍ରହ କରି ପରିବାରକ ଦିଆଯାଇଛି।
ସସ୍ମିତାଙ୍କ ପରିବାର ଡା. କର ଓ ଅନ୍ୟ ସହାୟକମାନଙ୍କୁ ଏହି ମାନବିକ କାର୍ଯ୍ୟ ପାଇଁ କୃତଜ୍ଞତା ଜଣାଇଛନ୍ତି।]

Dharitri – Odisha’s No.1 Odia Daily

Share
Tags: Kalahandi