ଧରିତ୍ରୀ କ୍ଲାଇମେଟ୍‌ ଗ୍ରାଣ୍ଟ ବିଜେତାଙ୍କ ମୁହଁରୁ…

ଆଗାମୀ ପିଢ଼ିଙ୍କ ପାଇଁ ସମର୍ପିତ ହେବୁ
ପ୍ରକୃତି ଚାହେଁ ପରିବର୍ତ୍ତନ ହେଉ, କିନ୍ତୁ ପ୍ରାକୃତିକ ଶୈଳୀରେ ନୁହେଁ, ବରଂ ମଣିଷ ଚାହୁଁଥିବା ଢାଞ୍ଚାରେ। ମଣିଷ ନିଜ ସୁବିଧା ପାଇଁ ପ୍ରକୃତିକୁ ନଷ୍ଟ କରୁଥିବାରୁ ବହୁ ସମସ୍ୟାର ସମ୍ମୁଖୀନ ହେଉଛି। ଖାଲି ମଣିଷ ନୁହନ୍ତି, ଉଦ୍ଭିଦ ଓ ଜୀବଜନ୍ତୁଙ୍କ ବଂଶବୃଦ୍ଧି କମିବାରେ ଲାଗିଛି। ସେଥିପାଇଁ ସମସ୍ତଙ୍କ ସହଯୋଗରେ ଆମେ ପରିବେଶକୁ ରକ୍ଷା କରିବା। ଆଗାମୀ ପିଢ଼ିଙ୍କ ପାଇଁ ଏକ ସୁସ୍ଥ ପରିବେଶ ତିଆରି କରିବା ନିମନ୍ତେ ନିଜକୁ ସମର୍ପଣ କରିବାକୁ ଲକ୍ଷ୍ୟ ରଖିଛୁ। ପାଠ ପଢ଼ିବା ସହିତ ଜୀବଜନ୍ତୁ ଓ ଉଦ୍ଭିଦଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ।
– ପରିବେଶବିତ୍‌ ବିଶ୍ୱଜିତ ପଣ୍ଡା, ବିକାଶ ସାଥୀ

ଧରିତ୍ରୀର ଏହି ପ୍ରୟାସରେ ବହୁ ପରିବେଶବିତ୍‌ ସାମ୍ନାକୁ ଆସୁଛନ୍ତି
ଆମେ ବର୍ତ୍ତମାନ ବହୁ ସମସ୍ୟା ଦେଇ ଗତି କରୁଛୁ। ପ୍ଲାଷ୍ଟିକ ପରିମାଣ ବଢ଼ୁଥିବାରୁ ମଣିଷଠାରୁ ଆରମ୍ଭ କରି ଜୀବଜନ୍ତୁ ସମସ୍ତେ ପ୍ରଭାବିତ। ଗୋପ ଅଞ୍ଚଳଟି ବାତ୍ୟା ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଶହ ଶହ ଗଛ ନଷ୍ଟ ହୋଇଯାଉଛି। ଆମେ ଏକ ଲକ୍ଷ ତାଳଚାରା ଲଗାଇବାକୁ ଯୋଜନା ରଖିଛୁ। ଆମ ଭଳି ଅନ୍ୟ ଯୁବପିଢ଼ି ଏହିଭଳି କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ। ଧରିତ୍ରୀ ମାଧ୍ୟମରେ ବହୁ ପରିବେଶବିତ୍‌ ସାମ୍ନାକୁ ଆସୁଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଅଞ୍ଚଳର ପରିବେଶବିତ୍‌ଙ୍କ ସହିତ ମିଶିବାର ସୁଯୋଗ ମିଳୁଛି। ଧରିତ୍ରୀର ଏଭଳି ପ୍ରୟାସକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର।
– ପରିବେଶବିତ୍‌ ପରିକ୍ଷିତ ରଥ, ସବୁଜ ସଂକଳ୍ପ
ଧରିତ୍ରୀର ପୁରସ୍କାର ଅଧିକ ପ୍ରୋତ୍ସାହିତ କରିବ
ଦୀର୍ଘ ୨୦ ବର୍ଷ ହେଲା ଏଭଳି ପରିବେଶ ସଚେତନତା କାର୍ଯ୍ୟ କରିଆସୁଛି। ଗଛ ଲଗାଇବାଠାରୁ ଆରମ୍ଭକରି ପ୍ଲାଷ୍ଟିକ ବ୍ୟବହାର ରୋକିବା ଉଦ୍ୟମ ଭଳି ବିଭିନ୍ନ କାର୍ଯ୍ୟରେ ନିଜକୁ ସାମିଲ କରିଛି। କେବେ ଭାବି ନ ଥିଲି ଏଭଳି ଏକ କାର୍ଯ୍ୟକ୍ରମରେ ପୁରସ୍କୃତ ହେବି। ମାଲକାନଗିରି ଅଞ୍ଚଳରେ ଜଙ୍ଗଲ ଜମି ନିଅଁା, ଜୀବଜନ୍ତୁ ସୁରକ୍ଷା ଏବଂ ଶିକାର ଭଳି ସମସ୍ୟା ରହିଛି। ଏହି ସବୁ କାର୍ଯ୍ୟ କରିବାକୁ ଧରିତ୍ରୀର ପୁରସ୍କାର ମୋତେ ଅଧିକ ପ୍ରୋତ୍ସାହିତ କରିବ। ଏ ନେଇ କାର୍ଯ୍ୟ ଆମେ ଖୁବ୍‌ଶୀଘ୍ର ଆରମ୍ଭ କରିବୁ। ଏଭଳି ସହଯୋଗ ଓ ପ୍ରୟାସ ପାଇଁ ଧରିତ୍ରୀକୁ ଧନ୍ୟବାଦ ଜଣାଉଛି।
– ଦୀପାରାଣୀ ନାୟକ, ପରିବେଶ କର୍ମୀ, ମାଲକାନଗିରି

ପରିବେଶ ସୁରକ୍ଷା ପାଇଁ ପ୍ରୟାସ ଜାରି ରହିବ
ଏଭଳି କାର୍ଯ୍ୟକ୍ରମ ପାଇଁ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଓ ସମ୍ପାଦକ ତଥାଗତ ସତପଥୀଙ୍କୁ ଧନ୍ୟବାଦ ଜଣାଉଛି। ଆଗାମୀ ଦିନରେ ସ୍କୁଲ ପିଲାଙ୍କୁ ସୁରକ୍ଷିତ ଦିଗ ପ୍ରତି ସଚେତନ କରିବି। ପରିବେଶ ସୁରକ୍ଷା ପାଇଁ ନିଜେ କାର୍ଯ୍ୟ କରିବା ସହିତ ଯୁବପିଢ଼ିଙ୍କୁ ଏଥିରେ ସାମିଲ କରିବି। ଏହି ପ୍ରୟାସ ସବୁଦିନ ପାଇଁ ଜାରି ରହିବ।
– ବାପି ଗୋଚ୍ଛାୟତ, ପରିବେଶ କର୍ମୀ, କେନ୍ଦ୍ରାପଡ଼ା

 

Dharitri – The Largest & Most Trusted Odia Daily

Share