Posted inଫୁରସତ

ବନ୍ଧୁତା ଚିର ବର୍ତ୍ତମାନ

ବନ୍ଧୁତା ଚିର ବର୍ତ୍ତମାନ । ସେ ହିଁ ବନ୍ଧୁ; ଯିଏ ଜୀବନ ସହ, ସମୟ ସହ ବାନ୍ଧି ହୋଇଯାଏ। ଆଉ ଆଜୀବନ ବନ୍ଧୁତା ନିର୍ବାହ କରୁଥାଏ ବର୍ତ୍ତମାନ ଏବଂ ଅବର୍ତ୍ତମାନରେ । ବନ୍ଧୁତା ପାଇଁ ବୟସ, ଲିଙ୍ଗ କି ପାତ୍ରର ବିଚାର ନ ଥାଏ। ମନକୁ ମନ ମିଳିଲେ, ବିଶ୍ୱାସ ଖୋଜି ପାଇଲେ, ସାହାରା ହେବାର ଶକ୍ତି ଟିକକ ପାଇଲେ ହିଁ ବନ୍ଧୁତା ଗଢ଼ି ହୋଇଯାଏ। ବନ୍ଧୁତା ହେଉଛି ସେହି ଦର୍ପଣ ଯାହା ଦେହରେ ଆମକୁ ଆମ ନିଜର ପ୍ରତିବିମ୍ବ ଦିଶେ। ବନ୍ଧୁତାର କଥା କହୁ କହୁ ମଣିଷ ଦାର୍ଶନିକ ହୋଇଯାଏ ଏଥିପାଇଁ ଯେ, ବନ୍ଧୁନାମକ ମଣିଷ ସେହି ସବୁ ବିରଳ ଅନୁଭବ ଦେଇଥାଏ; ଯାହାକୁ ଆଧାର କରି ପ୍ରତିକୂଳ ସମୟକୁ ମଧ୍ୟ ଅତିକ୍ରମୀ ହୁଏ। ପିଲାବେଳର ବାଲି ଖେଳରୁ ତିଆରି ହୋଇଥିବା ବନ୍ଧୁତା ବୟସ ଓ ସମୟ ଅନୁସାରେ ଦୃଢ଼ ଏବଂ ସୁନ୍ଦର ହୋଇଯାଇଥାଏ ଆତ୍ମିକ ସ୍ତରରେ। ଏଠାରେ ସେମିତି କିଛି ବନ୍ଧୁମାନଙ୍କ କାହାଣୀ କହିଛି, ଯାହାର ଆରମ୍ଭ ତ ପିଲାଦିନର ପାଠପଢ଼ା ଆଉ ଖେଳ ସାଙ୍ଗରୁ କିନ୍ତୁ ସମୟ ସହିତ ଆହୁରି ଅଧିକରୁ ଅଧିକ ଦୃଢ଼ ହୋଇ ଠିଆ ହୋଇଛି ଆଉ ଅନେକଙ୍କ ପାଇଁ ଉଦାହରଣ ପାଲଟିଛି।
ବନ୍ଧୁତା ଯୋଜନା କରି ଗଢ଼ା ହୁଏନି
– କେଶୁ ଦାସ(ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ)

ପାରମ୍ପରିକ ହଜିଯାଉଥିବା କଳାକୁ ପୁନରୁଦ୍ଧାର କରିବା ପାଇଁ ଦୀର୍ଘ ବର୍ଷ ଧରି ନିଜକୁ ପୂର୍ଣ୍ଣ ସମର୍ପି ଦେଇଥିବା ଶିଳ୍ପୀ ହେଉଛନ୍ତି କେଶୁ ଦାସ। ଭାରତୀୟ କଳା ଜଗତର ଏକ ଅନନ୍ୟ ନାଁ। ବନ୍ଧୁତାର କଥା କହିଲାବେଳେ ଭାବପ୍ରବଣ ଓ ଦାର୍ଶନିକ ହୋଇପଡ଼ନ୍ତି ସେ। ସେ କୁହନ୍ତି,‘ମୋ ପିଲା ଦିନରୁ ଏ ପର୍ଯ୍ୟନ୍ତ ଅନେକ ବନ୍ଧୁ ଆସିଛନ୍ତି ଜୀବନରେ। ତାଙ୍କ ମଧ୍ୟରୁ ଜଣେ ହେଲେ ବିଜୟ ଆଚାର୍ଯ୍ୟ। ତାଙ୍କ ସହ ବନ୍ଧୁତା ବାଲେଶ୍ବର ସହରର ଅରଡ ବଜାର ଚା’ଦୋକାନରୁ ପ୍ରାୟ କୋଡ଼ିଏ ବର୍ଷ ତଳେ। ଦୁହେଁ ସେହି ବଜାରରେ ପିରିବାର ନେଇ ରହୁଥିଲୁ ବହୁବର୍ଷ ଧରି। ସେ ଜଣେ ସାମାଜିକ କର୍ମୀ। ଉଭୟଙ୍କର ନିଅଣ୍ଟିଆ ସଂସାର। ତାଙ୍କର କୌଣସି ଚାକିରି ନ ଥିବା ବେଳେ ମୋର ମଧ୍ୟ ସେମିତି କୌଣସି ସ୍ଥାୟୀ ଉପାର୍ଜନ ନ ଥାଏ। ଚା’ ଦୋକାନରେ ବସି ଚା’ ପିଉ ପିଉ ବହୁତ ସମୟ ନିଜ ନିଜ ସିଦ୍ଧାନ୍ତକୁ ନେଇ ଯୁକ୍ତିତର୍କ ହୁଏ । ଏହାରି ମଧ୍ୟରେ ଆମ ଭିତରେ ଘନିଷ୍ଠତା ବଢ଼େ । ସେହି ସମୟରୁ ଆମେ ଦୁହେଁ ‘ଅନ୍ଧ ଓ ଛୋଟାର ମେଳା ଦେଖା’ ନ୍ୟାୟରେ ଦୁନିଆ ଦେଖିବାକୁ ବାହାରିଲୁ । ଆଜି ବି ଦେଖୁଛୁ । ଆମେ ଦୁହେଁ ଦୁହିଁଙ୍କୁ ନାମ ଧରି ଡକାଡକି ହେଉନା । ସେ ମତେ ‘କେଶୁ ବାବୁ’ ଓ ମୁଁ ତାଙ୍କୁ ‘ବିଜୟ ବାବୁ’ ବୋଲି ସମ୍ବୋଧନ କଲେ ମଧ୍ୟ ସ୍କୁଲ ସାଙ୍ଗ ଭଳି ବ୍ୟବହାର ଦୁହିଁଙ୍କର। ଦୁଇଜଣଙ୍କ ଅଭାବ ଅସୁବିଧାକୁ ଦୁଇଜଣ ମୁଣ୍ଡେଇ ନେଲା ବେଳେ ସୁଖ ସୁବିଧା ବି ଦୁଇଜଣ ଭାଗ କରିନେଉ। ତାଙ୍କ ଭୁଲ୍‌ ତ୍ରୁଟିକୁ ଧରାଇ ଦେଲେ, ସେ ଆନ୍ତରିକତାର ସହ ସ୍ବୀକାର କରି କହନ୍ତି – ଗୁରୁଦେବ, ତବ ଆଜ୍ଞା ଶିରୋଧାର୍ଯ୍ୟ । ସେହିପରି ମୁଁ ଭୁଲ୍‌ କଲେ ମୋର ମଧ୍ୟ ସମାନ ସଂଳାପ । ଆଉ ଝଗଡ଼ା ହେଲେ ଅତି ବେଶିରେ ଗୋଟିଏ ସପ୍ତାହ ଦେଖାସାକ୍ଷାତ, କଥାବାର୍ତ୍ତା ବନ୍ଦ । ଦୁଇ ଜଣ ଯଦି ଗୋଟିଏ ବାଇକରେ ବସି ଦୁଇ ଚାରିଦିନ ବୁଲିଲୁ, ତେବେ ଅନ୍ୟମାନେ କଥା ହୁଅନ୍ତି – କିଛି ଗୋଟିଏ ଅଭିନବ ଘଟଣା ଘଟିବାକୁ ଯାଉଛି ବାଲେଶ୍ବରରେ । ସତକଥା ହେଲା- ଏହି ବୁଲିବା ସମୟରେ ଆମେ କଳା ସଂସ୍କୃତିର ବିକାଶ ପାଇଁ ବିଭିନ୍ନ କାମ କରିଥାଉ।
ବିଭିନ୍ନ ସମସ୍ୟା ସମୟରେ ପାରସ୍ପରିକ ସହଯୋଗ ଆମ ଦୁହିଁଙ୍କ ବନ୍ଧୁତାର ଡୋରିକୁ ସୁଦୃଢ଼ କରିଛି। ଆହୁରି ଅନେକ ବନ୍ଧୁ ତ ଅଛନ୍ତି କିନ୍ତୁ ବିଜୟବାବୁଙ୍କ ସହ ବନ୍ଧୁତା ନିଶ୍ଚୟ ପରମାର୍ଥ। ମୋ ମତରେ ବନ୍ଧୁତା ଯୋଜନା କରି ଗଢ଼ା ଯାଇପାରେନା କି ତଡ଼ା ଯାଇପାରେନା ।

ବନ୍ଧୁତା ଏକ ସ୍ବର୍ଗୀୟ ଅବଦାନ-ଅଲେଖ ଚନ୍ଦ୍ର ମିଶ୍ର, ସାହିତି୍ୟକ ଓ ସ୍ତମ୍ଭକାର ମାତ୍ର ୯ ବର୍ଷ ବୟସରୁ ଗପ ଲେଖିବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କଲେ। ପ୍ରାୟ ୪୦ ବର୍ଷ ହେବ ବିଭିନ୍ନ ଓଡ଼ିଆ ଓ ଇଂଲିଶ ପତ୍ରପତ୍ରିକାରେ ତାଙ୍କର ସ୍ତମ୍ଭ ଓ ଲେଖା ନିୟମିତ ପ୍ରକାଶ ପାଉଛି। କେନ୍ଦ୍ର ସରକାରଙ୍କ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଅଲେଖ ଚନ୍ଦ୍ର ମିଶ୍ର ନିଜ ବନ୍ଧୁତାକୁ ନେଇ ବେଶ୍‌ ଭାବବିହ୍ବଳ। ତାଙ୍କ ମତରେ ପ୍ରାଚୀନ ରାମାୟଣର ରାମ-ସୁଗ୍ରୀବ କିମ୍ବା ମହାଭାରତର ଶ୍ରୀକୃଷ୍ଣ-ସୁଦାମ ଉପାଖ୍ୟାନ ହେଉ ଅବା ଗ୍ରୀକ୍‌ ସାହିତ୍ୟର ଡାମନ୍‌ ଓ ପିଥିୟାଙ୍କ କାହାଣୀ ହେଉ ବନ୍ଧୁତାର ଅମର କଥା ଯୁଗଯୁଗ ଧରି ମାନବ ସମାଜକୁ ଦିଗ୍‌ଦର୍ଶନ ଦେଇ ଆସିଛି।

କିନ୍ତୁ ଗଭୀର ପରିତାପର ବିଷୟ ଗତ ଅର୍ଦ୍ଧଶତାବ୍ଦୀ ଭିତରେ ବନ୍ଧୁତାର ସଂଜ୍ଞା ପ୍ରାୟ ବଦଳି ଗଲାଣି। ଆଜି ଜୀବନର ସାୟାହ୍ନରେ ବାସ୍ତବ ବନ୍ଧୁଟିଏ ଖୋଜି ବସିଲେ ମନ ଆପେ ଟାଣି ହୋଇଯାଉଛି କେଉଁ ସୁଦୂର ଅତୀତକୁ; ଯାହାର ସ୍ମୃତି ଏବେ ଝାପ୍ସା ହୋଇଆସିଲାଣି। ତାରି ଭିତରେ ଭାସି ଉଠୁଛି ୧୯୫୮-୧୯୫୯ ମସିହାର ଏକ ସରଳ, ସୁନ୍ଦର ଓ ମେଳାପୀ ପିଲାର ମୁହଁ, ଯିଏ ଜୟରାମ ହାଇସ୍କୁଲ କରିଲୋପାଟଣା, କଟକ (ଏବେ କେନ୍ଦ୍ରାପଡା)ର ଅଷ୍ଟମ ଶ୍ରେଣୀରେ ମୋ ସହିତ ପଢୁଥିଲା। ବିନା ଜିଜ୍ଞାସାରେ ଅନେକ କଥା କହୁଥିବା ସେଇ ପିଲାଟିକୁ ଦିନେ ପଚାରିଲି, ତୁମ ନାଁ କ’ଣ? ମୋ ନାମ ନବଘନ ପରିଡା। ଆମ ଗାଁ ଯମପଡା। ହେଲେ ମୋତେ ତୁମେ କାହିଁକି କହୁଛୁ କିରେ? ସାଙ୍ଗକୁ କ’ଣ ତୁମେ କୁହନ୍ତି? ମୁଁ କେମିତି ସମସ୍ତଙ୍କୁ ତୁ କହୁଛି। ଏଣିକି ତୁ ବି ଏୟା କହିବୁ। ତା’ର ଏଭଳି ମେଳାପୀ ସ୍ବଭାବ ଯୋଗୁଁ ସେ ସମସ୍ତଙ୍କର ପ୍ରିୟ ହୋଇଥିଲା। ପରୀକ୍ଷା ହଲରେ ପରୀକ୍ଷା ଚାଲିଥିବା ବେଳେ ନବ ନିଜର ସବୁ ଉତ୍ତର ଲେଖି ସାରି ଚାରିଆଡକୁ ଚାହେଁ। ଯଦି କେହି ସାଙ୍ଗ ଅସୁବିଧାରେ ପଡୁଥାଏ ତାକୁ ଯେମିତି ହେଲେ ସେ ସାହାଯ୍ୟ କରେ। ଶ୍ରେଣୀରେ ବି ଯଦି ସାର୍‌ କାହାକୁ ମାରନ୍ତି।

ସେ ସାର୍‌ଙ୍କ ପାଖରେ ଆପତ୍ତି କରେ। ଦିନକର କଥା ମୋର ଏବେ ବି ମନେ ପଡ଼େ। ମତେ ଜ୍ୱର ହୋଇ ଥିଲା। ଅଧାରୁ ଘରକୁ ଯିବାକୁ ଚାହୁଁଥିଲି। କିନ୍ତୁ ସାର୍‌ ଛାଡ଼ିଲେ ନାହିଁ। ନବ ଆଉ ଦୁଇ ତିନିଜଣ ସାଙ୍ଗଙ୍କୁ ସାଥିରେ ନେଇ ଶ୍ରେଣୀ ଶିକ୍ଷକଙ୍କୁ ମୋ କଥା କହିଲା। ସଙ୍ଗେ ସଙ୍ଗେ ମତେ ଛୁଟି ମିଳିଗଲା। ସେଦିନର ସେ ପିଲାଟି ଆଜିର ପ୍ରଖ୍ୟାତ ଡାକ୍ତର ନବଘନ ପରିଡା, ଯିଏ ସମ୍ବଲପୁରସ୍ଥ ଭିଏସ୍‌ଏସ୍‌ ମେଡିକାଲ କଲେଜରେ ଅନ୍‌କଲୋଜି ବିଭାଗର ପ୍ରଫେସର ଓ ବିଭାଗୀୟ ମୁଖ୍ୟ ଭାବରେ ଅବସର ଗ୍ରହଣ କରି ଏବେ ଝାରପଡାସ୍ଥିତ ନିଜ ବାସଭବନରେ ରହୁଛନ୍ତି। ସ୍ବଭାବ ଯେମିତା ଥିଲା ସେମିତି। ଡାକ ନ ଡାକ ଯେକୌଣସି ସାମାଜିକ ଉତ୍ସବରେ ସେ ଆପେ ପହଞ୍ଚିଯିବେ। ତାଙ୍କର ସହଯୋଗରେ ଆମ ବ୍ୟାଚ୍‌ର ବନ୍ଧୁମିଳନ ରୀତିମତ ଅନୁଷ୍ଠିତ ହେଉଛି। ତା’ଭଳି ବନ୍ଧୁ ସତରେ ବିରଳ। ଆମର ସେତେବେଳର ସାଙ୍ଗମାନଙ୍କ ମଧ୍ୟରୁ ଅଳ୍ପ କେତେଜଣ ବଞ୍ଚିଛନ୍ତି। ଯେଉଁମାନେ ଅଛନ୍ତି ବିଭିନ୍ନ ସ୍ଥାନରେ ରହୁ ଥିଲେ ବି ନିୟମିତ ଭାବରେ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ହେଉଛି।

ବନ୍ଧୁ ଖୁସିରେ ଯେ ବନ୍ଧୁଠୁ ବି ଖୁସି-ଗୀତିକାର ଓ ସାମାଜିକ କର୍ମୀ
ଜଣେ ସାମ୍ବାଦିକ, ଗୀତିକାର, ସାମାଜିକ କର୍ମୀ, ବ୍ୟଙ୍ଗଲେଖକ ହିସାବରେ ବିଶେଷ ପରିଚିତି ଅଛି ବଦ୍ରୀ ମିଶ୍ରଙ୍କର । ବୃକ୍ଷରୋପଣଠାରୁ ରକ୍ତଦାନ, ଅଚିହ୍ନା କି ବେସାହାରାର ଶବସଂସ୍କାର କରି ଆସୁଥିବା ବଦ୍ରୀ ମିଶ୍ର ପୁରୀ ସହରରେ ସାଧାରଣ ମଣିଷଙ୍କ ବେଶ୍‌ ପ୍ରିୟ। ବାଲ୍ୟକାଳରୁ ବିଭିନ୍ନ ଲୋକଙ୍କ ସହ ଉଠାବସା ଥିଲେ ବି ବନ୍ଧୁ ହୋଇ ତାଙ୍କ ହୃଦୟରେ ଅଛନ୍ତି ବାନା ମିଶ୍ର । ବଦ୍ରୀ ମିଶ୍ର କୁହନ୍ତି, ଯିଏ ମୋତେ ବୁଝିପାରେ, ମୋ ଦୁଃଖରେ ଲୁହ ଝରାଇ ଓ ସୁଖରେ ବିହ୍ବଳ ହୁଏ, ବିନା ସ୍ବାର୍ଥରେ କହେ-‘ମୁଁ ଅଛି ଡର କାହାକୁ?’ ଆଉ ପ୍ରତିବଦଳରେ ଯାହା ପାଇଁ ମୁଁ ନିଜଠାରୁ ଅଧିକ ଭାବେ ସେ ହିଁ ମୋର ବନ୍ଧୁ ବାନା। ଯାହାଠାରୁ ମୁଁ ବନ୍ଧୁତ୍ୱ କ’ଣ ଶିଖିଛି। ୧୯୬୨ ମସିହା । ମୋତେ ୩ ବର୍ଷ। ମୋ ବୋଉ କ୍ୟାନ୍ସରରେ ମରିଗଲା। ସେପଟେ ବଡଭାଇ ମାଧବ ମିଶ୍ରଙ୍କଠାରୁ ବାନା ସବୁବେଳେ ମାଡ଼ ଖାଉଥିଲା। ଉଭୟଙ୍କ ଦୁଃଖକୁ କିପରି ବଣ୍ଟା ଯାଏ, ଆମକୁ ଜଣା ନ ଥିଲା, ତଥାପି ଜହ୍ନିମୁଣ୍ଡିଆ ଉପରେ ଉଭୟ ଉଭୟଙ୍କୁ ଚାହିଁ ଲୁହ ଝରାଉଥିଲୁ। ଏମିତି ଆରମ୍ଭ ହେଲା ସ୍କୁଲ୍‌ ଜୀବନ । ଭଲପାଠ ନ ପଢ଼ିଲେ ବି, ମୋର ବଡ଼ ସାଙ୍ଗ ଥିଲା ବାନା। ଆମ ଘରେ ସବୁବେଳେ ବାନାକୁ ଦେଖିବାକୁ ମିଳୁଥିଲା। ସେ ସମୟରେ ଆଜିକାଲିର ଟିଫିନ୍‌ବକ୍ସ କି ହାତଖର୍ଚ୍ଚ ନ ଥିଲା। ପକେଟରେ ନେଇଥିବା ନାଲିଚୁଡା-ଚିନି କିମ୍ବା ମୁଢ଼ି ଥିଲା ଆମ ଦୁହିଁଙ୍କ ଖାଦ୍ୟ। ମୋତେ ବାନା କାନ୍ଧରେ ବସେଇ ନାଗା ନାଚ ନାଚୁଥିଲା। ମୋତେ କିଏ କ’ଣ କହିଲେ, ମୋ ସପକ୍ଷରେ ଲଢ଼ୁଥିଲା। ସେ ସମୟରେ ପୁରୀରେ ବିଦ୍ୟୁତ ନ ଥିଲା। ସାହିରେ ୬ ଫୁଟିଆ କାଠ ଖୁଣ୍ଟ ଉପରେ ସନ୍ଧ୍ୟା ହେଲେ ମୁନିସିପାଲିଟି ଲଣ୍ଠନ ଜଳୁଥିଲା ଆଉ ଆମେ ଖୁଣ୍ଟ ଚାରିପାଖେ ଦିପିଦିପି ଆଲୁଅରେ ବସି ଘୋଷୁଥିଲୁ। ”ଦୁଇକେ ଦୁଇ ଦୁଇ ଦୁଗୁଣି ଚାରି’ ତ କେତେବେଳେ ବଡପାଟିରେ କହୁଥିଲୁ ଅ-ଖ, ଅଖ, ର-ଥ, ରଥ । ଅଭାବ ଭିତରେ ବାନାର ପାଠପଢ଼ା ଦିନେ ବନ୍ଦ ହୋଇଗଲା। ତଥାପି ସେ ପ୍ରତିଦିନ ସ୍କୁଲ୍‌ ଆସେ ମୋଠାରୁ ଗଣିତ ଶିଖେ। ପଣିକିଆ ପଢ଼େ। ଏମିତି ହୋଇଗଲା ହାଇସ୍କୁଲ। ଏଣିକି ବାନା ଆଉ ମୋଠାରୁ ପାଠ ବୁଝିଲାନି, ହେଲେ ବିଶ୍ୱମ୍ବର ବିଦ୍ୟା ପଡ଼ିଆରେ ଖେଳଛୁଟିରେ ଆମ ସହ କବାଡି ଖେଳିଲା ଓ ମୋ ପାଇଁ ଝିଲିକଇଁଆ ଖସାଇଲା। ମୋର ୧୯୭୪ ବେଳକୁ ହୋଇଗଲା କଲେଜ । ପ୍ୟାଣ୍ଟ-ଶାର୍ଟ ଅଭାବରେ ଧୋତି ପିନ୍ଧି ବାନା ବୋଧେ କଲେଜ ଆସିବାକୁ ଇଚ୍ଛା କଲା ନାହିଁ। ହେଲେ ଅଭାବ ଭିତରେ କୁଆଡୁ ପଇସା ପାଏ କେଜାଣି ମୋ ପାଇଁ ତିନିପଇସିଆ ନିମିକି ବିସ୍କୁଟ ତ , କେତେବେଳେ ଦୁଇ ପିଇସିଆ କମଳା ମିଠାଇ ଆଣେ। ଆମ ଘର ବିବାହ -ବ୍ରତଠାରୁ ଦୁର୍ଗାପୂଜା ଫୁଲ ତୋଳା ସାଙ୍ଗ ଥାଏ ବାନା। ମୋ ସହ ମାର୍କେଟରୁ ପରିବା ବୋହିଆଣେ। ମାଛ କାଟିଦିଏ। ସେ ସମୟରେ ଅକ୍ଷୟ ମହାନ୍ତିଙ୍କ ଗୀତ ମୁଁ ଖୁବ୍‌ ଗାଉଥାଏ, ଆଉ ବାନା ହୋଇଯାଏ ନିର୍ଦ୍ଦେଶକ । ଖୁବ୍‌ ସୁନ୍ଦରଭାବେ ପାଟିରେ ମୃଦଙ୍ଗ ଶବ୍ଦ କରି ସେ ମୋ ଗୀତ ସହ ନାଚେ ଓ ହସେ। ୧୯୭୮ରେ ମୋର ଚାକିରି ହୋଇଯାଏ । ଚାଲିଯାଏ ନୟାଗଡ, ହେଲେ ପୁରୀ ଆସିଲେ ବାନା ପାଇଁ ଗୁଡ଼, ମୁଗ, ଓ ଭଲ ଶାର୍ଟ ଆଣେ। ସେ ଖୁସିରେ ଆତ୍ମହରା ହୁଏ। ସାହିଟା ଯାକ କହିବୁଲେ -ମୋ ସାଙ୍ଗ ବାବୁଲି ମିଶ୍ରେ ମୋ ପାଇଁ ଆଣିଛି , ଏମିତି ସରଳ ବନ୍ଧୁତା ଭିତରେ ମୋ ବାହାଘର ୧୯୮୫ରେ, ଅଭାବ ଭିତରେ ବନ୍ଧୁକୁ କିଛି ଦେଇପାରିବନି ବୋଲି ଆଉ ଆସିଲାନି ବାନା। ପରଦିନ ଶୋଇବା ଜାଗାରୁ ତାକୁ ଉଠାଇ ଆଣିଲି ମୋ ଘରକୁ । ମୋ ଧର୍ମପତ୍ନୀଙ୍କ ଆଗେ ପରିଚୟ ଦେଲି – ୟେ ବାନା, ମୋ ପିଲାଦିନ ସାଙ୍ଗ । ସଙ୍ଗୀତ ନିର୍ଦ୍ଦେଶକ । ବିଚରା ବାନା ତତ୍‌କ୍ଷଣାତ ନୂଆଭାଉଜ ଆଗରେ ପାଟିରେ ବଜାଇଦେଲା ମୃଦଙ୍ଗତାଳ, ଅଥଚ ଆଖିରୁ ବୋହିଯାଉଥିଲା ଲୁହ।

ମୋ ସ୍ତ୍ରୀ ବାନାକୁ ନେଇ ଖାଇବାକୁ ଦେଲେ। କହିଲେ, ସବୁଦିନ ଆସିବ। ୟେ ପୂରା ତୁମ ଘର। ୧୯୮୫ରୁ ୧୯୯୫ ପୂରା ୧୦ବର୍ଷ ଚାକିରି ଜଞ୍ଜାଳ ଭିତରେ ବାନା ସହ ଦେଖା ପ୍ରାୟତ ହୁଏନି। ଆଉ ଯେତେବେଳେ ଦେଖା ହୁଏ ମୋ ଟିଭିକଥା, ମୋ ଗୀତ କଥା ମୋ ନାଟକ କଥା ଆଉ ମୋ ଚାକିରି କଥା ମନେପକାଇ ଉତ୍‌ଫୁଲ୍ଲିତ ହୁଏ ବାନା। କିଛିବର୍ଷ ପରେ ବାନାର ଏକ ପ୍ରକାର ମୁଣ୍ଡଖରାପ ଅନୁଭବ କଲି। ସେ ଏଣିକି ସମସ୍ତଙ୍କୁ ବୋକା ଭଳି ଚାହେଁ, ଖନେଇ ଖନେଇ ଅଳ୍ପ କଥା କହେ। ୨୦୦୪ରେ କଟକ ଡାକ୍ତରଙ୍କୁ ଦେଖାଇଥିଲି ବାନାକୁ। ହେଲେ କିଛି ଲାଭ ହେଲାନି।

ଏବେ ୬୪ ଧରିଲାଣି। ଅର୍ଥାଭାବ ଓ ପରିବାରର ସମସ୍ୟାକୁ ନେଇ ସେ ଏକ ପ୍ରକାରର ନୀରବ ପ୍ରାୟ। ହେଲେ ମୋତେ ଦେଖିଲେ ସେ ହସିହସି ଦଉଡି ଆସେ। ମୋତେ ଛାତିରେ ଜାକି ଧରି ଖନେଇ ଖନେଇ କହେ, ବାବୁଲି ମିଶ୍ର ମୋ ସାଙ୍ଗ। ତା’ର ବହୁତ ବହି, ବହୁତ ସିନେମା, ବହୁତ ଗୀତ। ତା’ ଝିଅ ଇଂଲଣ୍ଡରେ, ପୁଅ ଦିଲ୍ଲୀରେ। କେଜାଣି ସେ ଏସବୁ କହିବାବେଳେ ମୋର ମନେପଡିଯାଏ ପିଲାଦିନ। ଆଜିର ଛଳନାମୟ ସମାଜରେ ଈର୍ଷା, ପରଶ୍ରୀକାତରତାପୂର୍ଣ୍ଣ କୋଳାହଳରେ, ବାନା ଭଳି ନିର୍ମଳ ବନ୍ଧୁଟିଏ କାହିଁ? ଜାଣନ୍ତି, ଅଭାବ ଭିତରେ ମୋ ବାଲ୍ୟବନ୍ଧୁ ବାନା, ଏବେ ପର ଦୁଆର ଓଳାଇ ଓ କାହା ଘରକୁ ପାଣି ବୋହି ପେଟ ପୋଷୁଛି। ଅବିବାହିତ ଜୀବନ କଟାଇ, ସମସ୍ତଙ୍କଠାରୁ ବାରମ୍ବାର ଠୋକର ଖାଉଥିବା ବାନା, କିନ୍ତୁ ଏଯାଏଁ ସ୍ବାଭିମାନୀ। କେବେ ବି ମୋଠାରୁ ଶହେଟଙ୍କା ନେଇନି। ଦେଲେ ହସିଦିଏ। ପାଟିରେ ମୃଦଙ୍ଗ ବଜାଇ କହେ, ବାବୁଲି ମିଶ୍ରେ ମୋ ସାଙ୍ଗ, ଆଉ

ମୁଁ ତା’ ଠାରୁ ପଇସା ନେବି?
ବନ୍ଧୁତା ପାରସ୍ପରିକତାର ଏକ ସୂତ୍ର। ଏହା ତିଷ୍ଠି ରହେ ସମ୍ବେଦନଶୀଳ ସଂଳାପରେ, ପରସ୍ପରକୁ ନିଃସର୍ତ୍ତ ଭାବେ ଲୋଡିବାରେ। ବନ୍ଧୁତା କ’ଣ ନୁହେଁ ତାହା ବୁଝିପାରିଲେ ଅସଲ ବନ୍ଧୁତା ଉକୁଟେ। ଗ୍ରହଣଶୀଳତା ବନ୍ଧୁତାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ। ବିଚାରକ ନ ହୋଇ ଶ୍ରଦ୍ଧାବାନ ହେଲେ ବନ୍ଧୁତା ତିଷ୍ଠି ରହେ। ଏହା ଅପରକୁ ବିକଶିତ ଓ ପ୍ରସ୍ଫୁଟିତ ହେବାରେ ସହାୟକ ହୁଏ। ଅପର ସହ ଯୋଡ଼ି ହେବାର ମୂଳ ଖିଅ ହେଉଛି ବନ୍ଧୁତା ।


Enter your email to get our daily news in your inbox.

All Right Reserved By Dharitri.Com

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri