ଦେବଗଡ଼,୨୧ା୫(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ସ୍ଥିତ ମାରୱାଡି ଧର୍ମଶାଳାରେ ମାରୱାଡି ଯୁବାମଞ୍ଚ ଆନୁକୂଲ୍ୟରେ ତଥା ରାଞ୍ଚିସ୍ଥିତ ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତି ସହାୟତାରେ ୪ ଦିନିଆ ନିଃଶୁଳ୍କ ଦିବ୍ୟାଙ୍ଗ ଶିବିର ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି। ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଜିଲାପାଳ କବୀନ୍ଦ୍ର କୁମାର ସାହୁ, ଏସ୍ପି ଅନିଲ କୁମାର ମିଶ୍ର ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ପ୍ରଥମ ଦିନରେ ୩୮ ଜଣ ଦିବ୍ୟାଙ୍ଗଙ୍କୁ ନିଃଶୁଳ୍କ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଥିଲା। ସେଥିମଧ୍ୟରୁ ୫ ଜଣକୁ ଶ୍ରବଣ ଯନ୍ତ୍ର, ୨ ଜଣଙ୍କୁ ଆଶାବାଡ଼ି, ୨ ଜଣଙ୍କୁ ବୈଶାଖୀ ଏବଂ୨୯ ଜଣଙ୍କଠାରେ କୃତ୍ରିମ ହାତ ଓ ଗୋଡ଼ ଲଗାଯାଇଥିବା ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ଜିତେନ୍ଦ୍ର ଅଗ୍ରୱାଲ ସୂଚନା ଦେଇଛନ୍ତି। ଏହାପୂର୍ବରୁ ଏକ ସଭା ଅନୁଷ୍ଠିତ ହୋଇଥିଲା। ଯୁବାମଞ୍ଚ ସଭାପତି ରାକେଶ ଅଗ୍ରୱାଲ, ସମ୍ପାଦକ ଆକାଶ ଅଗ୍ରୱାଲ, ଜିତେନ ଅଗ୍ରୱାଲ, ପ୍ରମୋଦ ଗୋଏଲ, ମନୀଷ ଅଗ୍ରୱାଲ, ରାହୁଲ ଗୋଏଲ, କିରଣ ଅଗ୍ରୱାଲ, ସରିତା ସମାନି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


