ଅନ୍ୟନାମରେ ଆକାଉଣ୍ଟ ଖୋଲି ଠକେଇ: ୭ଦିନରେ ଧରାପଡ଼ିଲେଣି ୯ ଅଭିଯୁକ୍ତ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଗତ ୧୩ ତାରିଖରୁ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ସାଇବର କବଚ ଅଭିଯାନ ଚାଲିଛି। ତେବେ ଏହି ଅଭିଯାନକୁ ବରଗଡ଼ ଜିଲା ପୋଲିସ୍‌ ଜୋରଦାର୍‌ କରିଛି। ଗତ ୭ଦିନ ମଧ୍ୟରେ ପୋଲିସ ଏଭଳି ପ୍ରାୟ ୧୫କୋଟି ଟଙ୍କାର ସାଇବର ଠକେଇ ପଦାକୁ ଆଣିଛି। ଏ ନେଇ ଜିଲାର ବିଭିନ୍ନ ଥାନାରେ ପୋଲିସ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତଙ୍କୁ ଧରିବା ପାଇଁ ଧରପଗଡ଼ ଚଳାଇଛି। ଏପର୍ଯ୍ୟନ୍ତ ଜିଲା ପୋଲିସ ୯ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଅତାବିରା ଓ ଝାରବନ୍ଧ ଥାନା ପୋଲିସ ୨ଜଣ ଲେଖାଏଁ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଭଟଲି ଓ ବରଗଡ଼ ଟାଉନ ଥାନା ପୋଲିସ ଜଣେ ଲେଖାଏଁ ଓ ଅନ୍ୟ ଅଞ୍ଚଳରୁ ୩ଅଭିଯୁକ୍ତଙ୍କୁ ଗିରଫ କରିଛି। ଗୁରୁବାର ଜିଲା ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ପି.ଏସ୍‌ ମୀନା ସୂଚନା ଦେଇ କହିଥିଲେ, ଅଭିଯୁକ୍ତମାନେ କେତେଜଣ ନିରୀହ ଲୋକଙ୍କୁ ୧ହଜାର ଟଙ୍କାରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଦେଇ ସେମାନଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିଲେ। ବ୍ୟାଙ୍କ ପାସବୁକ୍‌ ନିଜ ହେପାଜତକୁ ନେଇ ଯାଉଥିଲେ। ଏଭଳି କୌଶଳ କରି ଠକେଇ କରିଥିବା ଅଭିଯୋଗରେ ବୁଧବାର ବରଗଡ଼ ଜିଲା ସୋହେଲା ଥାନା ବିଶିପାଲି ହରିଜନ ପଡ଼ାର ମୂଳ ବାସିନ୍ଦା ତଥା ବର୍ତ୍ତମାନ ବରଗଡ଼ ଗାନ୍ଧିଛକ ନିକଟ ଶକ୍ତିନଗରରେ ରହୁଥିବା ମନୋଜ କୁମାର କୁଶଳ(୩୫)ଙ୍କ ବିରୋଧରେ ବରଗଡ଼ ଟାଉନ ଥାନା ପୋଲିସ ଏକ ମାମଲା (ନଂ.୧୦୮/୨୦୨୬) ରୁଜୁ କରିଥିଲା। ଅଭିଯୁକ୍ତ ଜଣକ ବରଗଡ଼ ବାନ୍ଦୁଟିକ୍ରା ନିବାସୀ ସୌମ୍ୟରଞ୍ଜନ ଦୀପଙ୍କ ସମେତ ବିଭିନ୍ନ ଲୋକଙ୍କ ନାମରେ ବିଭିନ୍ନ ଜାତୀୟକରଣ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିଲେ। ପ୍ରାୟ ୧୦କୋଟି ଟଙ୍କାର ଠକେଇ କାରବାର କରିଥିଲେ। ପୋଲିସ ସାଇବର କବଚ ଅଭିଯାନରେ ଏହି ଠକେଇ ଧରିଥିବାବେଳେ ଅଭିଯୁକ୍ତଙ୍କ ପାଖରୁ ୫୭ଟି ପାସ୍‌ବୁକ୍‌, ୧୯ ଚେକ୍‌ବୁକ୍‌, ୮୧ ଏଟିଏମ୍‌ କାର୍ଡ଼, ୨୬ସିମ୍‌ କାର୍ଡ଼, ଗୋଟିଏ ସ୍କୁଟି ନଂ. ଓଡ଼ି୧୭ଏଜି ୦୭୮୩, ୨ମୋବାଇଲ ଫୋନ୍‌ ଏବଂ ନଗଦ ୬୭୦୦ ଟଙ୍କା ଜବତ ହୋଇଥିବା ଏସ୍‌ପି କହିଛନ୍ତି। ଅନୁରୂପଭାବେ ବରଗଡ଼ ଟାଉନ ଥାନାର ମାମଲା(ନଂ.୯୪/୨୦୨୬)କ୍ରମେ ଜଣେ ଅଜଣା ଲୋକ ବରଗଡ଼ ପୌର ପରିଷଦ ଅଧିନ ୱାର୍ଡ଼ ନଂ.୧୦ର ରାକେଶ ମାଝିଙ୍କ ନାମରେ ଏକ ଜାତୀୟକରଣ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିବା ଜଣାପଡ଼ିଛି। ତେବେ ଜିଲାରେ ଏଭଳି ସମୁଦାୟ ପ୍ରାୟ ୧୫କୋଟି ଟଙ୍କାର ସାଇବର ଠକେଇ ପଦାକୁ ଆସିଲାଣି ବୋଲି ଏସ୍‌ପି କହିଥିଲେ।
ସେହିପରି ଏସ୍‌ପି ମୀନା ଆହୁରି ସୂଚନା ଦେଇ କହିଥିଲେ, ଏଭଳି ଠକେଇ ଅଭିଯୋଗ ନେଇ ଝାରବନ୍ଧ ଥାନାରେ ଏକ ମାମଲା(ନଂ.୨୩/୨୦୨୬) ରୁଜୁ ହୋଇଛି। ଏହି ମାମଲାରେ ପୋଲିସ କଳାହାଣ୍ଡ ଜିଲା ନର୍ଲା ଥାନା ମଦନପୁର ରାମପୁର ନିବାସୀ ଅର୍ଥ ହରିଜନ(୩୦) ଏବଂ ବରଗଡ଼ ସଦର ଥାନା ପିପିଲିପାଲି ଗ୍ରାମର ସମୀର ସାହୁ(୩୦)ଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୨ବ୍ୟାଙ୍କ ପାସବୁକ୍‌, ୫ ଏଟିଏମ କାର୍ଡ଼, ୨ଚେକ୍‌ ଜବତ ହୋଇଛି। ଅଭିଯୁକ୍ତମାନେ ୨୯ଲକ୍ଷ ୨୯ହଜାର ୪୨୭ ଟଙ୍କା ଠକେଇରେ ସମ୍ପୃକ୍ତ ରହିଥିବା ଜଣାପଡ଼ିଛି। ଅନୁରୂପଭାବେ ସେଭଳି ଅଭିଯୋଗ ନେଇ ଅମ୍ବାଭୋନା ଥାନାରେ ଏକ ମାମଲା (ନଂ.୩୦/୨୦୨୬) ରୁଜୁ ହୋଇଥିବାବେଳେ ପଦ୍ମପୁର ଥାନାରେ ଅନ୍ୟ ଏକ ମାମଲା(ନଂ.୩୮/୨୦୨୬) ରୁଜୁ ହୋଇଛି। ପଦ୍ମପୁର ଥାନାରେ ରୁଜୁ ହୋଇଥିବା ମାମଲା ଅନୁଯାୟୀ ଅଭିଯୁକ୍ତମାନେ ଆଦର୍ଶ ଗିଧିଲି, ସବ୍ୟା ପ୍ରଧାନ, ରାହୁଳ ରଣା, ଶୁଭମ ମେହେର, ଚନ୍ଦ୍ରକାନ୍ତ ସାହୁ, ରଶ୍ମିକାନ୍ତ ସୁନାନୀଙ୍କ ନାମରେ ଆକାଉଣ୍ଟ ଖୋଲି ୫୦ଲକ୍ଷ ୭୬ହଜାର ୧୩ଟଙ୍କାର ଠକେଇ କରିଛନ୍ତି।
ଭଟଲି ଥାନାରେ ରୁଜୁ ହୋଇଥିବା ମାମଲା(ନଂ. ୩୭/୨୦୨୬)କ୍ରମେ ଭଟଲି ଥାନା ବଡ଼ମାଳ ଗ୍ରାମର ସତ୍ୟବାନ ପ୍ରଧାନ ଗିରଫ ହୋଇଛନ୍ତି। ତାଙ୍କ ପାଖରୁ ୪ ପାସ୍‌ବୁକ୍‌, ୩ ଏଟିଏମ୍‌ କାର୍ଡ଼ ଜବତ ହୋଇଥିବାବେଳେ ଅଭିଯୁକ୍ତ ଜଣକ ୪୮ଲକ୍ଷ ୨୧ହଜାର ୯୦୮ ଟଙ୍କା ଠକେଇରେ ସମ୍ପୃକ୍ତ ଅଛନ୍ତି। ଅତାବିରା ଥାନାରେ ରୁଜୁ ହୋଇଥିବା ମାମଲା(ନଂ.୬୧/୨୦୨୬) ଅନୁଯାୟୀ ୨ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନେ ହେଲେ, ଅତାବିରା ଥାନା ଜାମଟିକ୍ରାର ପ୍ରତାପ କର୍ମୀ(୨୫) ଏବଂ ଭେଡ଼େନ ଥାନା ଥୁଆପାଲି ରାମଚନ୍ଦ୍ର ଜୁଆଡ଼ି(୨୫)। ସେମାନଙ୍କ ପାଖରୁ ୨ ପାସବୁକ୍‌, ୨ ଏଟିଏମ କାର୍ଡ଼ ଜବତ ହୋଇଥିବାବେଳେ ଅଭିଯୁକ୍ତମାନେ ୫୩ଲକ୍ଷ ୫୦ହଜାର ଟଙ୍କା ଠକେଇରେ ସମ୍ପୃକ୍ତ ଥିବା ଜଣାପଡ଼ିଥିବା ପୋଲିସ କହିଛି। ସେହିପରି ପାଇକମାଳ ଥାନାରେ ଅନୁରୂପ ଠକେଇ ନେଇ ଏକ ମାମଲା(ନଂ.୩୬/୨୦୨୬) ରୁଜୁ ହୋଇଛି। ଏହି ମାମଲା ଅନୁଯାୟୀ, କିରଣ ସେଠ ନାମକ ଜଣେ ଅଭିଯୁକ୍ତ ସମୀର ସାହୁ ଓ ଭୁପେନ୍ଦ୍ର ମାଝୀଙ୍କ ନାମରେ ଆକାଉଣ୍ଟ ଖୋଲି ୧କୋଟି ୪୨ଲକ୍ଷ ୮୫ହଜାର ୯୪୪ ଟଙ୍କାର ଠକେଇ କାରବାର କରିଥିବା ଜଣାପଡ଼ିଛି ବୋଲି ପୋଲିସ ସୂଚନା ଦେଇଛି। ସେହିପରି ବରଗଡ଼ ଗ୍ରାମାଞ୍ଚଳ ଥାନା, ଅମ୍ବଭୋନା ଥାନା ପୋଲିସ ଅନୁରୂପ ଠକେଇକୁ ନେଇ ମାମଲା ରୁଜୁ କରିବା ସହିତ ତଦନ୍ତ କରୁଛି ଏବଂ ଏଭଳି ମାମଲାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଛି ବୋଲି ଖବରଦାତା ସମ୍ମିଳନୀରେ ଏସ୍‌ପି ମୀନା ସୂଚନା ଦେଇଥିଲେ।

Dharitri – Odisha’s No.1 Odia Daily

Share