ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ ରିଆମାଳ ପୋଲିସ ଗୁଣ୍ଡିଆପାଲି ଗ୍ରାମର ସମ୍ବିତ ଭୋଇ(୨୭)ଙ୍କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ଖରିଫ ଋତୁରେ ରିଆମାଳ ବ୍ଲକ ଅନ୍ତର୍ଗତ ବଡବାହାଳ,ଆଡସ, ରିଆମାଳ, ବାଘବର, ବେଲମୁଣ୍ଡା, ବଡକଙ୍କରଖୋଳ, କଣ୍ଟାବାହାଳ ଆଦି ଗ୍ରାମକୁ ଯାଇକୁଇଣ୍ଟାଲ ପ୍ରତି ୨୨୦୦ରୁ ୨୫୦୦ ଟଙ୍କା ଦରରେ ଧାନ କିଣିବା ପାଇଁ ଅଭିଯାନ ଚଳାଇବା ସହ ପରେ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇ ସମ୍ପୃକ୍ତ ଅଞ୍ଚଳର ଞ୍‌୨୯ ଜଣ ଚାଷୀଙ୍କ ଠାରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ଧାନ ସଂଗ୍ରହ କରିଥିଲେ। ଏହାର କିଛିଦିନ ପରେ ଧାନ ବିକ୍ରି କରିଥିବା ଚାଷୀମାନେ ସମ୍ବିତକୁ ପ୍ରାପ୍ୟ ଟଙ୍କା ମାଗିବାରୁ ସେ ଆଜି ଦେବି… କାଲି ଦେବି… କହି ଦିନ ଗଡାଇ ଚାଲିଥିଲେ । ଏପରିକି ବାରମ୍ବାର ଉକ୍ତ ଟଙ୍କା ମାଗିବାରୁ ସମ୍ବିତ ସେମାନଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିଲେ । ଫଳରେ ପ୍ରତାରିତ ଚାଷମାନେ ଏନେଇ ଫେବୃୟାରୀ ୨୨ ତାରିଖ ରାତିରେ ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ରିଆମାଳ ଥାନା ପୋଲିସ ସମ୍ବିତ ବିରୋଧର କେସ ନମ୍ବର ୬୮/୨୬ରେ ଏକ ମାମଲା ଋଜୁକରି ଘଟଣାର ତଦନ୍ତ ଚଳାଇଥିଲେ। ତାକୁ ଗିରଫ କରିବାପରେ  କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
Dharitri – Odisha’s No.1 Odia Daily

Share