ପାଟଣା,୪।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ କୃଷ୍ଣ ଚନ୍ଦ୍ର ସାହୁ ଜିଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ବେଳେ ବିଜ୍ଞାନ ପାଇଁ ତୁରୁମୁଙ୍ଗା ଦଧିବାମନ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ବିରଞ୍ଚି ନାରାୟଣ ମହାରଣା, ସରକାରୀ ପ୍ରାଥମିକ ବିଦ୍ୟାଳୟ ମଙ୍ଗଳପୁରର ଶିକ୍ଷୟିତ୍ରୀ ତିଳତ୍ତମା ବେହେରା, ଡୁମୁରିଆ ସିଆର୍ସିସି ଯୁଧିଷ୍ଟିର ମହାନ୍ତ ପ୍ରମୁଖ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି।
କେନ୍ଦୁଝର ମୁଖ୍ୟାଳୟ ଡିଏନ୍ ହାଇସ୍କୁଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ମନ୍ଦଧର ମହାଳିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଏମ୍ପି ଅନନ୍ତ ନାୟକ, ସମ୍ମାନୀତ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଈ ବିଧାୟକ ଫକୀର ଚରଣ ନାଏକ, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଡିଆଇଇଟି ଅଧ୍ୟକ୍ଷା କଲ୍ୟାଣୀ ମାଝି ପ୍ରମୁଖ ଯୋଗଦେଇ ସଫଳ ଶିକ୍ଷକଙ୍କୁ ଉତ୍ତରୀୟ, ମାନପତ୍ର ଏବଂ ମେଡାଲ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପରେ ଶିକ୍ଷକମାନଙ୍କୁ ପୁରସ୍କାର ବାବଦକୁ ୨୫ ହଜାର ଟଙ୍କା ପାଇବେ।
ଏହି ଅବସରରେ ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା ସ୍ବାଗତ ଭାଷଣ ଦେଇଥିଲେ। ଏଥିରେ ଏଡିଓ ଶ୍ରୀକାନ୍ତ ବେହେରା, ରୁଦ୍ର ନାରାୟଣ ସାମଲ, ସତ୍ୟ ନାରାୟଣ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ବିଜ୍ଞାନ ପରିଦର୍ଶକ ପରମେଶ୍ବର ମହାନ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସ୍ଥାନୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରବୀର ମହାନ୍ତି ଧନ୍ୟବାଦ ଦେଇଥିଲେ।


