ଭଞ୍ଜନଗର,୨୦ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରୁ ବୁଧବାର ବନ ବିଭାଗ ଜବତ କରିଥିବା କଲରାପତରିଆ ବାଘ ଶାବକର ମୃତଦେହ ଗୁରୁବାର ବ୍ୟବଚ୍ଛେଦ ହୋଇଛି। ୪ ଜଣ ପ୍ରାଣୀ ବିଶେଷଜ୍ଞ ସମ୍ପୃକ୍ତ ଅଞ୍ଚଳର ଲୋକ ପ୍ରତିନିଧି ଏବଂ ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତି, ଏସିଏଫ୍ ବିବେକ ଦାସ, ବିମଳ ପ୍ରଧାନ, ରେଞ୍ଜର ବିମ୍ବାଧର ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ ହୋଇଥିଲା। ପରେ ବାଘ ଶାବକ ଶରୀରର ବିଭିନ୍ନ ଅଂଶ ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)କୁ ପଠାଯାଇଛି। ରିପୋର୍ଟ ଆସିବା ପରେ ବାଘ ଶାବକଟିର କେଉଁ କାରଣରୁ ମୃତ୍ୟୁ ଘଟିଛି ତହା ସ୍ପଷ୍ଟ ହେବ। ତେବେ ବାଘ ଶାବକଟିର ରୋଗଗ୍ରସ୍ତ ଯୋଗୁ ମୃତ୍ୟୁ ହୋଇଥିବା ବିଭାଗୀୟ ଅଧିକାରୀମାନେ ଆଶଙ୍କା କରୁଛନ୍ତି। ବାଘ ଶାବକର ପେଟରେ ମୃତ୍ୟୁ ପୂର୍ବରୁ କିଛି ଖାଦ୍ୟ ନ ଥିବା ବେଳେ ପୋକ ଭରି ରହିଥିଲା। ଶରୀରରେ କୌଣସି ଆଘାତ ଚିହ୍ନ ମଧ୍ୟ ନାହିଁ। ତେଣୁ ପ୍ରାଥମିକ ତଥ୍ୟକୁ ଆଧାର କରି ବାଘ ଶାବକଟି କୌଣସି ଏକ ରୋଗରେ ଆକ୍ରାନ୍ତ ହୋଇ ତାର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଡିଏଫ୍ଓ ମହାନ୍ତି କହିଛନ୍ତି। ଘଟଣାରୁ ପ୍ରକାଶ, ବୁଧବାର ଅପରାହ୍ନରେ ବଜ୍ରକୋଟ ବିଦ୍ୟାଳୟର କିଛି ଛାତ୍ର କ୍ରିକେଟ ଖେଳୁଥିଲେ। ଏହି ସମୟରେ ସେମାନଙ୍କ କ୍ରିକେଟ ବଲ ଏକ ବୁଦା ଭିତରକୁ ଚାଲି ଯାଇଥିଲା। ଜଣେ ଛାତ୍ର ବୁଦା ଭିତରକୁ ବଲ ଗୋଟାଇବାକୁ ଯିବା ସମୟରେ ବାଘ ଶାବକଟି ମୃତ ଅବସ୍ଥାରେ ପଡିଥିବା ଦେଖିଥିଲେ। ପରେ ସେମାନେ ଗ୍ରାମବାସୀଙ୍କୁ ଜଣାଇବା ପରେ କଥା ଆସି ବନ ବିଭାଗ ପାଖରେ ପହଞ୍ଚତ୍ଲା। ଘଟଣା ସ୍ଥଳରେ ଡିଏଫଓଙ୍କ ସମେତ ବିଭାଗୀୟ ଅଧିକାରୀମାନେ ପହଞ୍ଚତ୍ ଏହାର ତଦନ୍ତ କରିଥିଲେ। ଗୁରୁବାର ଜେଟିଏଫ ଟିମ୍ ଆସି ଘଟଣାର ତଦନ୍ତ କରିବାର ଥିଲା। ମାତ୍ର କୌଣସି କାରଣରୁ ଶେଷ ମୁହୂର୍ତ୍ତରେ ଜେଟିଏଫ୍ ଟିମ୍ ଆସି ନ ଥିଲା।

