ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଡିସେମ୍ବର ୫ତାରିଖରେ ଅସୁସ୍ଥ ହୋଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୦ବର୍ଷ ବୟସ ହୋଇଥିଲା ।
ଖବର ପ୍ରଚାରିତ ହେବା ପରେ ମୟୂରଭଞ୍ଜ ଜିଲାରେ ଶୋକର ଛାୟା ଖେଳିଯାଇଛି । ମୟୂରଭଞ୍ଜ ଜିଲା କଳୁଆଖାମନ ଗ୍ରାମରେ ୧୯୫୬ରେ ଜନ୍ମିତ ସ୍ବର୍ଗତ ତିରିଆ ସ୍ବଧୀନତା ସଂଗ୍ରାମୀ ପରିବାରରୁ ପ୍ରତିନିଧିତ୍ୱ କରୁଥିଲେ। ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ବି.ଏ. ଡିଗ୍ରୀ ହାସଲ କରିଥିଲେ ।
୨୪ ବର୍ଷ ବୟସରେ ସୁଶୀଳା ଯୁବ କଂଗ୍ରେସରେ ଯୋଗ ଦେଇଥିଲେ। ୧୯୮୩ -୧୯୮୪ ରେ ଯଥାକ୍ରମେ ମୟୂରଭଞ୍ଜ ଜିଲାର ସଭାପତି ଏବଂ ଉପସଭାପତି ହୋଇଥିଲେ । ୧୯୮୬ରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ସେ ୧୯୮୬-୮୭ରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ପରମାଣୁ ଶକ୍ତି ଏବଂ ସମୁଦ୍ର ବିକାଶ ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ସଦସ୍ୟା, ୧୯୮୭-୮୮ରେ ନାଗରିକ ବିମାନ ପରିବହନ ମନ୍ତ୍ରଣାଳୟର ଏବଂ ୧୯୮୮-୮୯ରେ ଯୋଗାଯୋଗ ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ସଦସ୍ୟା ଭାବେ କାର୍ଯ୍ୟ କରିଥିଲେ ।
୧୯୮୭ରୁ ୧୯୯୩ ପର୍ଯ୍ୟନ୍ତ ସେ ଭାରତୀୟ ଯୁବ କଂଗ୍ରେସର ଜେନେରାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରିଥିଲେ । ସେ ୧୯୮୮-୮୯ରେ ସରକାରୀ ଆଶ୍ୱାସନା କମିଟି ଏବଂ ୧୯୮୯-୯୨ରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ସଦସ୍ୟା ଥିଲେ। ୧୯୯୪ରେ ସେ ଦଶମ ଲୋକସଭା ନିର୍ବାଚନରେ ଅନୁସୂଚିତ ଜନଜାତି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ମୟୂରଭଞ୍ଜରୁ ବିଜୟୀ ହୋଇଥିଲେ ।
ସେହି କାର୍ଯ୍ୟକାଳ ସମୟରେ ୧୯୯୪ରୁ ୧୯୯୬ ପର୍ଯ୍ୟନ୍ତ ସେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ବନ ଓ ପରିବେଶ ଏବଂ ଖାଦ୍ୟ ଓ ନାଗରିକ ଯୋଗାଣ ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ସଦସ୍ୟା ଥିଲେ ।
୧୯୯୫ରୁ ସେ ଅଲ୍ ଇଣ୍ଡିଆ କଂଗ୍ରେସ କମିଟିର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିବା ସହିତ ୧୯୯୬ରେ ଲୋକସଭା ସଦସ୍ୟା ଭାବେ ପୁଣି ନିର୍ବାଚିତ ହୋଇଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସ କମିଟିର ସ୍ଥାୟୀ ସଦସ୍ୟା ଥିଲେ।