ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ ପୂର୍ବତନ ଲୋକ ସଭା ଏମ୍‌ପି ବାଳଗୋପାଳ ମିଶ୍ର ବଲାଙ୍ଗୀର ଗ୍ରାମ୍ୟ ଭନ୍ନୟନ (ଆର୍‌ଡି) ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ପୂର୍ବତନ ଏମ୍‌ପି କହିଥିଲେ ଯେ, ଲୋଇସିଂହା ନିର୍ବାଚନମଣ୍ଡଳୀରେ ବ୍ଲାକ କଟନ ମାଟି ରହିଛି। ଏଣୁ ଏଠାରେ ଠିକ୍‌ ମାନର ରାସ୍ତା କାମ କରା ନ ଗଲେ ଖୁବ୍‌ଶୀଘ୍ର ରାସ୍ତା ଖରାପ ହୋଇଯିବ। ପିପିଲି-ଜାମୁଟିଆ ବଘାପାଲି ସେଠାରେ ରାସ୍ତା କାମ ଚାଲିଛି। ଠିକାଦାର ମନମାନି ଚଲାଇଛନ୍ତି। ଲୋକେ ଅଭିଯୋଗ କଲେ ମଧ୍ୟ ଆରଡି ବିଭାଗର ଯନ୍ତ୍ରୀମାନେ କିଛି ଶୁଣୁନାହାନ୍ତି। ଫଳରେ ରାସ୍ତା କାମ ନିମ୍ନମାନର ହେଉଛି। ଏହାର ପ୍ରତିବାଦରେ ଗ୍ରାମବାସୀ ଆର୍‌ଡି ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ। ନିର୍ଦ୍ଧାରିତ ମାନର ରାସ୍ତା କାମ କରିବାକୁ ସେମାନେ ଦାବି କରିଥିଲେ। ଓଡ଼ିଶା ସରକାରଙ୍କ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଚାଲିଥିବା ପିପିଲିଠାରୁ ଜାମୁଟିଆ ରାସ୍ତା କାମ ନିମ୍ନମାନର ହେଉଥିବା ନେଇ ଅଭିଯୋଗ କରିବା ପରେ ଗ୍ରାମବାସୀଙ୍କ ଦାବିକୁ ସମର୍ଥନ କରି ପୂର୍ବତନ ଏମ୍‌ପି ଧାରଣାରେ ବସିବା ସହ ଆରଡି ବିଭାଗର ଦୁର୍ନୀତି ସମ୍ପର୍କରେ ଗୁରୁତର ଅଭିଯୋଗ ଆଣିଥିଲେ।

ସେ କହିଥିଲେ ଯେ, ଏବେ ଏହି ବିଭାଗରେ ୨୦ ପ୍ରତିଶତ ପିସି କାରବାର ଚାଲିଥିବା ଅଭିଯୋଗ ହେଉଛି। ଏମ୍‌ପି ଲାଡ ଏବଂ ଏମ୍‌ଏଲ୍‌ଏ ଲାଡ ଫଣ୍ଡରେ ବି ପିସି କାରବାର ଚାଲିଥିବା କୁହାଯାଉଛି। ଫଳରେ ନିର୍ଦ୍ଧାରିତ ମାନ-କାମ କରା ନ ଯାଇ ଥୁକ ପାଲିସ କାମ କରାଯାଉଛି। ଏଭଳି କାମ କରାଗଲେ ଏହାର ଜୋରଦାର ବିରୋଧ କରାଯିବ ଲୋକେ ଧାରଣା ଦେବେ ଓ ଆନ୍ଦୋଳନ କରିବେ ବୋଲି କହିଥିଲେ। ଧାରଣା ବସିଥିବା ପୂର୍ବତନ ଏମ୍‌ପି ମିଶ୍ର , ଗ୍ରାମବାସୀଙ୍କ ପାଖକୁ ଆସି ଅଧୀକ୍ଷଣ ଯନ୍ତ୍ରୀ ବୁଦ୍ଧେଶ୍ବର ମହାପାତ୍ର ଓ ତାଙ୍କ ଅଫିସର ଏସଡିଓ , ଜେଇ ଚାଲିଥିବା ରାସ୍ତା କାମର ଏଷ୍ଟିମେଟ ଆଣି ଦେଖାଇ ବୁଝାଇବାକୁ ଚେଷ୍ଟା କରିବା ସହ ଠିକାଦାରଙ୍କ ଏଗ୍ରିମେଣ୍ଟ କପି ଦେଖାଇଥିଲେ। ଉଚ୍ଚମାନର କାମ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ପୂର୍ବତନ ଏମପି ମିଶ୍ର ଓ ଗ୍ରାମବାସୀ ଧାରଣାରୁ ଉଠିଥିଲେ। ତେବେ ରାସ୍ତା କାମ ନିମ୍ନମାନର ହେଲେ ଆଗକୁ ଅଧିକ ଲୋକ ଆସି ଆର୍‌ଡି ଅଫିସ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

Dharitri – Odisha’s No.1 Odia Daily

Share