୨୦ ଲକ୍ଷ ଟଙ୍କା ଆତ୍ମସାତ: ସମବାୟ ସମିତିର ପୂର୍ବତନ ସମ୍ପାଦକ ଗିରଫ

ବାଲେଶ୍ୱର,୨୯।୧: ସରକାରୀ ଟଙ୍କା ହେରଫେର କରି ଗିରଫ ହେଲେ ସମବାୟ ସମିତିର ପୂର୍ବତନ ସମ୍ପାଦକ। ଫସଲ ବୀମା ଯୋଜନାରେ ବ୍ୟାପକ ସରକାରୀ ଅର୍ଥ ହରିଲୁଟ କରିବା ଅଭିଯୋଗରେ ଭିଜିଲାନ୍ସ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଦହୁଣ୍ଡା ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ସୁବଳ କୁମାର ସାହୁଙ୍କୁ ଗିରଫ କରିଛି।

୨୦୧୪-୧୫ ଆର୍ଥିକ ବର୍ଷରେ ଫସଲ ବୀମା ଯୋଜନା ଅଧୀନରେ ଅଯୋଗ୍ୟ ସଦସ୍ୟମାନଙ୍କୁ ସରକାରୀ ସୁବିଧା ଯୋଗାଇ ଦେବା ପାଇଁ ସୁବଳ ସାହୁ ସରକାରୀ ନଥିପତ୍ରରେ ଜାଲିଆତି କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସେ ପ୍ରାୟ ୧୯.୮୦ ଲକ୍ଷରୁ ଅଧିକ ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ କରିଥିବା ତଦନ୍ତରୁ ଜଣାପଡିଛି।

ଘଟଣାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।